Spread the love

ଜଗତସିଂହପୁର : ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମଠ ତର୍ତ୍ତଙ୍ଗ ଗ୍ରାମରେ ଅଭାବନୀୟ ଘଟଣା। ବାଇକରେ ତେଲ ପକାଉଥିବା ବେଳେ ସଂଜ ବତୀରୁ ନିଆଁ ଧରି ଗୋଟିଏ ପରିବାରର ୩ ଜଣଙ୍କୁ ମିଶାଇ ମୋଟ ୪ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ସୂଚନା ଅନୁସାରେ ମଠ ତର୍ତ୍ତଙ୍ଗ ଗ୍ରାମ ଛକରେ ପ୍ରଦୀପ୍ତ ସେଠୀଙ୍କ ଦୋକାନ ରହିଛି। ସେ ଦୋକାନରେ ବିଭିନ୍ନ ଜିନିଷ ସହ ପେଟ୍ରୋଲ ମଧ୍ୟ ବିକ୍ରି କରନ୍ତି। ଆଜି ସନ୍ଧ୍ୟାରେ ପାପୁନି ଦାସ ନାମକ ଜଣେ ବ୍ୟକ୍ତି ତାଙ୍କ ବାଇକରେ ପେଟ୍ରୋଲ ପକାଇବାକୁ ଉକ୍ତ ଦୋକାନକୁ ଆସିଥିଲେ। ପେଟ୍ରୋଲ କିଣି ନେଇ ପକାଉଥିବା ବେଳେ ସେହିପଟେ ଜଣେ ମହିଳା ସଞ୍ଜ ବତୀ ନେଇ ଆସୁଥିଲେ। ହାଲକା ପବନ ଦେଉଥିବାରୁ ହଠାତ ସଞ୍ଜ ବତୀ ନିଆଁ ପେଟ୍ରୋଲ ସଂସ୍ପର୍ଶରେ ଆସିଯାଇଥିଲା। ତେଣୁ ବାଇକ ହୁତହୁତ ହୋଇ ଜଳିବାକୁ ଲାଗିଥିଲା।
ତେଣୁ ପେଟ୍ରୋଲ ପକାଇଥିବା ପାପୁନିଙ୍କ ସମେତ ପାଖରେ ଠିଆ ହୋଇଥିବା ଦୋକାନ ମାଲିକ ପ୍ରଦୀପ୍ତଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ପ୍ରଦୀପ୍ତଙ୍କ ନିକଟରେ ଉପସ୍ଥିତ ଥିବା ତାଙ୍କର ଦୁଇ ନାବାଳକ ପୁଅ ମଧ୍ୟ ନିଆଁ ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ପାପୁନି, ପ୍ରଦୀପ୍ତ ଏବଂ ତାଙ୍କର ଜଣେ ନାବାଳକ ପୁଅକୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *