Spread the love

ଚଣ୍ଡୀଗଡ଼ : ପଳାତକ ଘୋଷିତ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହର ଘନିଷ୍ଠ ସହଯୋଗୀ ପାପାଲପ୍ରୀତ ସିଂହ ଗିରଫ। ଆଜି ପଞ୍ଜାବ ପୁଲିସ୍‌ର ଗୁଇନ୍ଦା ବିଭାଗ ହୋଶିହାରପୁରରୁ ତାକୁ ଗିରଫ କରିଛି। ଅମ୍ରିଲପାଲ ମାର୍ଚ୍ଚ ୧୮ରେ ଜଲନ୍ଧରରୁ ଖସିଯିବା ପରେ ପାପାଲପ୍ରୀତ ସହ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଉଥିଲା।
ସାମ୍ନାକୁ ଆସିଥିବା ବିଭିନ୍ନ ସିସିଟିଭି ଫୁଟେଜରେ ଅମ୍ରିତପାଲ ସହ ପାପାଲପ୍ରୀତକୁ ହିଁ ଦେଖିବାକୁ ମିଳିଥିଲା। ଏବେ ପଞ୍ଜାବ ପୁଲିସ ଓ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ପକ୍ଷରୁ ତାକୁ ଗିରଫ କରାଯାଇଛି। ଉଭୟ ଜଲନ୍ଧର, ହୋଶିଆରପୁର ଓ ଅମୃତସରର ବିଭିନ୍ନ ସ୍ଥାନରେ ଲୁଚିଥିଲେ। ସେହିପରି ପାପାଲପ୍ରୀତ ଓ ଅମ୍ରିତପାଲ ଫାଗୱାରା ଟାଉନ, ନାଦଲୋନ ଓ ବିବି ଗାଁରେ ଥିବା ବିଭିନ୍ନ ଡେରାସରେ ମଧ୍ୟ କିଛି ଦିନ ଆତ୍ମଗୋପନ କରିଥିଲେ।
ହେଲେ ଆଜି ପାପାଲପ୍ରୀତର ଲୁଚକାଳି ଖେଳ ଖତମ ହୋଇଛି। ଏବେ ପୁଲିସ୍‌ ଟାର୍ଗେଟରେ ଅମ୍ରିତପାଲ ରହିଛି। ଗିରଫ ପରେ ପାପାଲପ୍ରୀତକୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ପଞ୍ଜାବ ପୁଲିସ୍‌ ମୁଖ୍ୟାଳୟକୁ ଅଣାଯାଉ ଥିବା ଜଣାପଡ଼ିଛି। ତେବେ ଅମ୍ରିତପାଲର ପତ୍ତା ଏଯାଏ କେହି ବି ପାଇ ନାହାନ୍ତି। ପୂର୍ବଭଳି ସେ ଫେରାର ରହିଛି।
ଅମ୍ରିତପାଲକୁ ଧରିବା ପାଇଁ ପଞ୍ଜାବ ପୁଲିସ ତା’ର ଉଦ୍ୟମ ଜାରି ରଖିଛି। ଏପ୍ରିଲ ୧୪ ପର୍ଯ୍ୟନ୍ତ ପଞ୍ଜାବର ସମସ୍ତ ପୁଲିସଙ୍କ ଛୁଟି ବାତିଲ କରାଯାଇଥିଲା। ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ସମସ୍ତ ଗେଜେଟେଡ୍ ଓ ଅଣ-ଗେଜେଟେଡ୍ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା।
ବର୍ତ୍ତମାନ ବେଶ ବଦଳାଇ ସାରିଥିବା ଅମ୍ରିତପାଲକୁ ଧରିବା ପାଇଁ ଦିଲ୍ଲୀ ଓ ମହାରାଷ୍ଟ୍ର ବ୍ୟତୀତ ଉତ୍ତରାଖଣ୍ଡର ଡେରୁଡୁନ, ହରିଦ୍ୱାରା ଓ ଉଦ୍ଧମ ସିଂହ ନଗରରେ ଆଲର୍ଟ ଜାରି କରାଯାଇଛି। ପୁଲିସ୍‌ ଅଧିକାରୀଙ୍କ କହିବା କଥା ଯେ ପଞ୍ଜାବରୁ ଖସିଯିବା ପରେ ଅମ୍ରିତପାଲ ସିଂହ ହରିଆଣାର କୁରୁକ୍ଷେତ୍ରରେ ରହିଥିଲା।
ସେ ଓ ତା’ର ସହଯୋଗୀ ପାପାଲପ୍ରୀତ ସିଂହ ସେଠାରେ ଜଣେ ମହିଳାଙ୍କ ଘରେ ରହିଥିଲେ। ଉକ୍ତ ମହିଳାଙ୍କୁ ପୁଲିସ୍‌ ଗିରଫ କରିଛି। ସେଠାରୁ ଖସି ଯିବା ପରେ ଅମ୍ରିତପାଲ ବିଭିନ୍ନ ରାଜ୍ୟକୁ ଯିବା ପାଇଁ ଉଦ୍ୟମ ଜାରି ରଖିଛି।

Leave a Reply

Your email address will not be published. Required fields are marked *