Spread the love

କଟକ : ତାଳଦଣ୍ଡା କେନାଲ ପାର୍ଶ୍ୱ ମାଲଗୋଦାମ ନିକଟରେ ଏବେ ଲୋକାର୍ପଣ ଅପେକ୍ଷାରେ ସ୍ମାର୍ଟ ପରିବା ହାଟ। ୨୦୨୧, ଡିସେମ୍ବର ୨୧ ତାରିଖରେ କଟକ ପୌର ନିଗମ ୩ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହାର ନିର୍ମାଣ ଆରମ୍ଭ କରିଥିଲା। ବର୍ତ୍ତମାନର ଛତ୍ରବଜାର ପରିବା ହାଟ ଏଠାକୁ ସ୍ଥାନାନ୍ତର ହେବ। ତାଳଦଣ୍ଡା କେନାଲର ମୁଖ୍ୟ ରାସ୍ତା ପାର୍ଶ୍ବରେ ନିର୍ମିତ ଏହି ସ୍ମାର୍ଟ ହାଟକୁ ପ୍ରବେଶ ପ୍ରସ୍ଥାନ ପାଇଁ ତିନୋଟି ମୁଖ୍ୟ ବାଟ ରହିଥିବା ବେଳେ ହାଟ ଆଗରେ ଦୁଇ ଚକିଆ ଗାଡି ପାର୍କିଂ ବ୍ୟବସ୍ଥା କାରାଯାଇଛି। ହେଲେ ଚାରି ଚକିଆ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇନଥିବାରୁ ଆଗକୁ ଏହାକୁ ନେଇ ହୁଏତ ଟ୍ରାଫିକ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ପୁରୁଣା କ୍ବାର୍ଟରର ପ୍ରାୟ ତିନି ଏକରରୁ ଅଧିକ ଜାଗାକୁ ସାତ ଫୁଟ ପୋତାଯାଇ ଏହି ସ୍ମାର୍ଟ ହାଟ ନିର୍ମାଣ କରାଯାଇଛି। ସ୍ମାର୍ଟ ହାଟ ଭିତରେ ୩୫ଟି ବ୍ଲକ କରାଯାଇ ପିଣ୍ଡି କରାଯାଇଛି।
ଏହି ପିଣ୍ଡି ମାନଙ୍କରେ ପ୍ରାୟ ୬ଶହ ପରିବା ବ୍ୟବସାୟୀ ବ୍ୟବସାୟର ସୁଯୋଗ ପାଇବେ। ସ୍ମାର୍ଟ ହାଟରେ ପୁରୁଷଙ୍କ ପାଇଁ ଦୁଇଟି ଶୌଚାଳୟ ରହିଥିବା ବେଳେ ଏକ ସମୟରେ ୧୦ ଜଣ ଏହାକୁ ବ୍ୟବହାର କରିପାରିବେ। ହାଟରୁ ପାଣି ନିଷ୍କାସନ କରିବା ପାଇଁ ତାଳଦଣ୍ଡା କେନାଲ ଭିତରେ ଏକ ଅଣ୍ଡର ଗ୍ରାଉଣ୍ଡ ପାଇପ ପକାଯାଇ ହାଟର ପାଣିକୁ ଏମ ଏସ ଡବ୍ଲୁ -୧ ଡ୍ରେନରେ ଛାଡିବାର ବ୍ୟବସ୍ଥା ରହିଛି। ହାଟ ମଧରେ ଏକ ଓପନ କମ୍ୟୁନିଟି ସ୍ପେସ ରଖାଯାଇଛି। ସବୁ ବ୍ଲକ ବା ପିଣ୍ଡିରେ ଆଲୋକ ବ୍ୟବସ୍ଥା କରାଯାଇଛି। ହେଲେ ପୁରୁଷଙ୍କ ପାଇଁ ତିଆରି ଚାଲିଥିବା ୭ଟି ପାଇଖାନା ଓ ମହିଳାଙ୍କ ପାଇଁ ୨ଟି ପାଇଖାନାର ବ୍ୟବସ୍ଥା ରହିଥିବା ବେଳେ ଏହାକୁ ସମ୍ପୂର୍ଣ କରାଯାଇପାରିନାହିଁ। ଛତ୍ର ବଜାର ପରିବା ବଜାରକୁ ଏହା ଏକ ନୂଆ ରୂପ ଦେବ ବୋଲି ଆଶା କରାଯାଉଥିବା ବେଳେ ଖୁବଶୀଘ୍ର ଏହାର ଲୋକାର୍ପଣ ପାଇଁ ​ପ୍ରସ୍ତୁତି ଚାଲିଛି।

Leave a Reply

Your email address will not be published. Required fields are marked *