Spread the love

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରରୁ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିଲା। ଏହି ଭିଡିଓରେ ନର୍ମଦା ନଦୀ ପାଣିରେ ଧଳା ରଙ୍ଗର ଶାଢ଼ି ପିନ୍ଧି ଜଣେ ବୃଦ୍ଧା ମହିଳା ଚାଲୁଥିବା ଦେଖିବାକୁ ମିଳିଥିଲା। ଏଥିରେ ମହିଳାଙ୍କ ପାଦ ପାଣିରେ ବୁଡ଼ି ଯାଇଥିବା ନଜରକୁ ଆସିଥିଲା। ଏହି ଭିଡିଓ ଦେଖିବା ପରେ ଲୋକେ ଉକ୍ତ ମହିଳାଙ୍କୁ ନର୍ମଦା ଦେବୀ ଭାବି ପୂଜା କରିବା ଆରମ୍ଭ କରିଥିଲେ।
ଘୁରିଘୁରି ଏହି ଭିଡିଓ ପୁଲିସ ନିକଟରେ ପହଞ୍ଚିଥିଲା। ଏହାପରେ ପୁଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚରୁ ଜଣାପଡ଼ିଲା କି ଲୋକେ ଯେଉଁ ମହିଳାଙ୍କୁ ନର୍ମଦା ଦେବୀ ଭାବି ପୂଜା କରୁଥିଲେ ତାଙ୍କ ନାମ ଜ୍ୟୋତି ବାଇ ଓ ବୟସ ୫୧ ବର୍ଷ। ସେ ନର୍ମଦାପୁରମରେ ବସବାସ କରନ୍ତି।
ଯେ‌ତେବେ‌ଳେ ପୁଲିସ ଉକ୍ତ ମହିଳାଙ୍କୁ ନେଇ ଅଧିକ ଖୋଲତାଡ ଆରମ୍ଭ କରିଥିଲା ଜାଣିବାକୁ ପାଇଲା କି ମହିଳାଙ୍କ ପୁଅ ତାଙ୍କ ମା’ ନିଖୋଜ ଥିବା ପୁଲିସରେ ଏକ ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ ତାଙ୍କ ମା’ ମାନସିକ ରୋଗୀ ତାଙ୍କ ମାନସିକ ଅବସ୍ଥା ଠିକ ନଥିବା ବି ସେ ଉଲ୍ଲେଖ କରିଥିଲେ।

ଭାଇରାଲ ଭିଡିଓକୁ ନେଇ ବୃଦ୍ଧା ମହିଳା ଜ୍ୟୋତି ପୁଲିସ ନିକଟରେ କହିଛନ୍ତି କି,‘ ସେ ‌ନର୍ମଦା ନଦୀରେ ଚାଲୁଥିବାର ଯେଉଁ ଭିଡିଓ ଭାଇରାଲ ହୋଇଛି ସେଥିରେ ‌ସିଏ ହିଁ ଅଛନ୍ତି। କିନ୍ତୁ ସେ କୌଣସି ନର୍ମଦା ଦେବୀ ନୁହନ୍ତି ସାଧାରଣ ମଣିଷ। କାରଣ ସେ ନଦୀର ଯେଉଁ ସ୍ଥାନ ଦେଇ ଯାଉଥିଲେ ସେହି ସ୍ଥାନରେ ବେଶୀ ପାଣି ନଥିଲା। ତେଣୁ ଏହି ଘଟଣାକୁ ଯେଉଁମାନେ ରେକର୍ଡ କରିଥିଲେ ତାଙ୍କୁ ନଦୀ ଉପରେ ଚାଲୁଥିବା ଭଳି ଲାଗିଥିଲା।’

ଏହାପରେ ଜ୍ୟୋତିଙ୍କ ପରିବାରଲୋକଙ୍କୁ ପୁଲିସ ଯୋଗାଯୋଗ କରିଥିଲା। ଜ୍ୟୋତିଙ୍କ ପୁଅ ଆସି ତାଙ୍କ ମା’ଙ୍କୁ ଘରକୁ ନେଇ ଚାଲି ଯାଇଛନ୍ତି।

Leave a Reply

Your email address will not be published. Required fields are marked *