Spread the love

ଇସଲାମାବାଦ : ପାକିସ୍ତାନର ଖରାପ ଦିନ ଶେଷ ହେବାର ନାଁ ଧରୁନି। ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ବେହାଲ ହୋଇଗଲାଣି। ବିଭିନ୍ନ ଖାଦ୍ୟ ସାମଗ୍ରୀର ଦାମ ଆକାଶ ଛୁଆଁ ହୋଇଥିବା ବେଳେ ଲୋକମାନେ ଆବଶ୍ୟକ ଜିନିଷ ପାଉ ନାହାନ୍ତି। ଏହାକୁ ନେଇ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିବା ପାକିସ୍ତାନ ଏବେ ନୂଆ ସଙ୍କଟରେ ଫସିଛି।
ପାକିସ୍ତାନ ସରକାରଙ୍କୁ ୨୦୨୩ ଏପ୍ରିଲ ମାସରୁ ୨୦୨୬ ଜୁନ ମାସ ମଧ୍ୟରେ ମୋଟ ୭୭ ବିଲିୟନ ଡଲାରର ବିଦେଶୀ ଋଣ ପୈଠ କରିବାକୁ ପଡ଼ିବ। ଚାଇନା ଓ ସାଉଦି ଆରବକୁ ପାକିସ୍ତାନ ଏହି ଋଣ ବାବଦ ଅର୍ଥ ଦେବେ। ଯଦି ପାକିସ୍ତାନ ଏହାକୁ ପୈଠ ନ କରିପାରିବେ, ତା’ହେଲେ ଦେଶକୁ ଦେବାଳିଆ ମଧ୍ୟ ଘୋଷଣା କରାଯାଇ ପାରେ।
ଆମେରିକାର ଗୋଟିଏ ପ୍ରସିଦ୍ଧ ଥିଙ୍କଟ୍ୟାଙ୍କ ପକ୍ଷରୁ ପାକିସ୍ତାନର ଆର୍ଥିକ ସଙ୍କଟକୁ ନେଇ ରିପୋର୍ଟ ପ୍ରକାଶ କରାଯାଇଛି। ପୂରା ସ୍ଥିତିକୁ ବଶ୍ଲେଷଣ କରିବା ପରେ ୟୁନାଇଟେଡ ଷ୍ଟେଟସ ଇନଷ୍ଟିଚ୍ୟୁଟ ଅଫ ପିସ (ୟୁଏସ୍‌ଆଇପି) ପକ୍ଷରୁ ପାକିସ୍ତାନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆକାଶ ଛୁଆଁ ମୁଦ୍ରାସ୍ଫୀତି, ରାଜନୀତିକ ଅସ୍ଥିରତା ଓ ବୃଦ୍ଧି ପାଉଥିବା ଆତଙ୍କବାଦ ଦ୍ୱାରା ପ୍ରଭାବିତ ପାକିସ୍ତାନ ଉପରେ ବିଦେଶୀ ଋଣର ଚାପ ବଢ଼ିବାରେ ଲାଗିଛି।
ସ୍ଥିତି ଏପରି ହୋଇଛି ଯେ ପାକିସ୍ତାନ ଦେବାଳିଆ ମଧ୍ୟ ଘୋଷିତ ହୋଇପାରେ। ଦେଶ ବଡ଼ଧରଣର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ ବିଦେଶୀ ଋଣ ଚାପ, ସ୍ଥାନୀୟ ମୁଦ୍ରା ଦୁର୍ବଳ ହେବା ଓ ବିଦେଶୀ ମୁଦ୍ରା ପାଣ୍ଠି ହ୍ରାସ ପାଇବା ସମସ୍ୟାକୁ ଦୁଇ ଗୁଣ ବଢ଼ାଇ ଦେଇଛି। ୩୫୦ ବିଲିୟନ ଡଲାର ଅର୍ଥନୀତିର ଦେଶ ପାକିସ୍ତାନକୁ ୨୦୨୬ ଜୁନ ମାସ ସୁଦ୍ଧା ୭୭.୫ ବିଲିୟନ ଡଲାରର ଋଣ ପୈଠ କରିବାକୁ ପଡ଼ିବ।
ଏହା ଦେଶ ପାଇଁ ବହୁତ ବଡ଼ ସମସ୍ୟା। ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଅର୍ଥ ପୈଠ ନ ହୋଇପାରିବ, ତା’ହେଲେ ପାକିସ୍ତାନ ଦେବାଳିଆ ଘୋଷିତ ହେବ। ଏଥିସହ ଏହାର କୁପ୍ରଭାବ ଦେଶ ଉପରେ ମଧ୍ୟ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ଚାଇନା, ଘରୋଇ ଋଣଦାତା ଓ ସାଉଦି ଆରବକୁ ୩ ବର୍ଷ ମଧ୍ୟରେ ପାକିସ୍ତାନ ଏତେ ପରିମାଣର ଋଣ ବାବଦ ଅର୍ଥ ଦେବ।

Leave a Reply

Your email address will not be published. Required fields are marked *