Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଇ-ମେଲ ଯୋଗେ ମିଳିଥିବା ହତ୍ୟା ଧମକ ଘଟଣାରେ ପୁଲିସ୍‌ ଜଣେ ନାବଳକଙ୍କୁ ଧରିବାକୁ ସକ୍ଷମ ହୋଇଛି। ନାବାଳକ ଜଣଙ୍କ ଧମକପୂର୍ଣ୍ଣ ଇ-ମେଲ ଗୋଟିଏ ମିଡିଆ ହାଉସକୁ ପଠାଇଥିଲେ। ଶୁକ୍ରବାର ନୋଏଡା ପୁଲିସ୍‌ ନାବାଳକଙ୍କୁ ଧରିବା ପରେ ଜୁଭେନାଇଲ କୋର୍ଟରେ ହାଜର କରିଥିଲା। ତେବେ ତାଙ୍କ ନାଁରେ କୋହଳ ଦଫା ଲାଗି ଥିବାରୁ ତାଙ୍କୁ ଜାମିନରେ ଖଲାସ କରିଛନ୍ତି।
୧୬ ବର୍ଷୀୟ ବାଳକ ଜଣଙ୍କ ଘର ବିହାରରେ। ପୁଲିସ୍‌ ତାଙ୍କୁ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଚିନହାଟ ଅଞ୍ଚଳରୁ ଧରିଥିଲା। ଏହାପରେ ତାଙ୍କୁ ନୋଏଡା ଅଣାଯାଇ କୋର୍ଟରେ ହାଜର କରାଯାଇଥିଲା ବୋଲି ନୋଏଡା ଏସିପି ରଜନୀଶ ବର୍ମା କହିଛନ୍ତି।
ସେ କହିଛନ୍ତି, “ଏପ୍ରିଲ ୫ରେ ସେକ୍ଟର ୨୦ ପୁଲିସ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇଥିଲା। ଟେକ୍ନିକାଲ ଟିମ ସହାୟତାରେ ମିଳିଥିବା ଧମକପୂର୍ଣ୍ଣ ଇ-ମେଲର ଯାଞ୍ଚ କରାଯାଇଥିଲା। ତଦନ୍ତ ବେଳେ ଜଣା ପଡ଼ିଥିଲା ଯେ ଇ-ମେଲଟି ଚିନହାଟ ଅଞ୍ଚଳରୁ ଆସିଛି।
ପୁଲିସ୍‌ ଟିମ ଏହାକୁ ଆଧାର କରି ସେଠାରେ ପହଞ୍ଚିଥିବା ବେଳେ ଇ-ମେଲ ପ୍ରେରକ ଜଣଙ୍କ ଜଣେ ସ୍କୁଲ ପିଲା ବୋଲି ଜଣାପଡ଼ିଥିଲା। ପିଲାଟି ନିକଟରେ ଏକାଦଶ ଶ୍ରେଣୀ ପାସ କରିଛି। ଚଳିତ ଶିକ୍ଷା ବର୍ଷରୁ ସେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଛି।”
ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଥିବା ଗୋଟିଏ ଇ-ମେଲ ପ୍ରଥମେ ସ୍ଥାନୀୟ ମିଡିଆ ହାଉସକୁ ଆସିଥିଲା। ଏହାପରେ ସଂସ୍ଥାର ଜଣେ ପ୍ରତିନିଧି ପୁଲିସ୍‌ର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଏଫଆଇଆର ରୁଜୁ କରିଥିଲା। ଆଇପିସିର ଧାରା ୧୫୩ଏ(୧ବି), ୫୦୫(୧ବି),୫୦୬,୫୦୭ ସମେତ ଆଇଟି ଆକ୍ଟ ଭଳି ଦଫା ଲଗାଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା।

Leave a Reply

Your email address will not be published. Required fields are marked *