ନୂଆଦିଲ୍ଲୀ: ଏପିସୋଡ୍-୨ ରିଲିଜ୍ ହେବାର ଗୋଟିଏ ଦିନ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଏହାର ‘କଂଗ୍ରେସ ଫାଇଲ୍ସ’ ସିରିଜ୍ର ଏପିସୋଡ୍-୩ ରିଲିଜ୍ କରି ୨୦୧୨ କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ଉପରେ ଆଲୋକପାତ କରିଛି। ରିଲିଜ ହୋଇଥିବା ଭିଡିଓରେ ବିଜେପି ଦାବି କରିଛି ଯେ କୋଇଲା ଦୁର୍ନୀତି ଯୋଗୁଁ ଦେଶକୁ ୧,୮୬,୦୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।
ଏହି ଭିଡିଓ ବାର୍ତ୍ତାରେ କୁହାଯାଇଛି ଯେ ଯେତେବେଳେ ମନମୋହନ ସିଂହ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ କଂଗ୍ରେସର ଦୁର୍ନୀତି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଏହା ପୂର୍ବରୁ ‘କଂଗ୍ରେସ ଫାଇଲ୍ସ’ର ଦ୍ୱିତୀୟ ଏପିସୋଡରେ ବିଜେପି ୟେସ୍ ବ୍ୟାଙ୍କର ପୂର୍ବତନ ସିଇଓ ରାଣା କପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଦେଇଥିବା ବୟାନ ଉପରେ ଆଲୋକପାତ କରିଥିଲା, ଯେଉଁଥିରେ ସେ ଦାବି କରିଥିଲେ ଯେ ତାଙ୍କୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଠାରୁ ୨ କୋଟି ଟଙ୍କାରେ ଏମଏଫ ହୁସେନ ପେଣ୍ଟିଂ କିଣିବାକୁ ବାଧ୍ୟ କରାଯାଇଥିଲା। ଜାରି ଭିଡିଓରେ ଦେଖିବାକୁ ମିଳିଛି ଯେ କପୁରଙ୍କୁ ଏହା ବଦଳରେ ଦେଶର ଅନ୍ୟତମ ଶ୍ରେଷ୍ଠ ବେସାମରିକ ପୁରସ୍କାର ପଦ୍ମଭୂଷଣ ଦେବାକୁ ପ୍ରତିଶ୍ରୁତି ଦିଆ ଯାଇଥିଲା।
ଭିଡିଓ ଅନୁଯାୟୀ, ରାଣା କପୁର ଏହି ପେଣ୍ଟିଂ କିଣିବା ପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଚିଠି ଲେଖିବାକୁ ବାଧ୍ୟ ହୋଇଥିଲେ। ସେ କହିଛନ୍ତି ଯେ ଚିତ୍ରକଳା ବଦଳରେ ମିଳିଥିବା ଟଙ୍କା ସୋନିଆ ଗାନ୍ଧୀଙ୍କ ଚିକିତ୍ସାରେ ବ୍ୟବହୃତ ହୋଇଥିଲା।
ଭିଡିଓ ଅନୁଯାୟୀ, ଏହି ଟଙ୍କା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେବାର ଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଂଗ୍ରେସ ଏହି ଅଭିଯୋଗକୁ ରାଜନୈତିକ ପ୍ରତିଶୋଧ ବୋଲି କହି ରାଣା କପୁର ଏବଂ ଇଡିର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି।
ରବିବାର ରିଲିଜ୍ ହୋଇଥିବା ପ୍ରଥମ ଏପିସୋଡରେ ଦେଶର ଦୁର୍ନୀତି ଓ ଦୁର୍ନୀତିର କଥିତ ଇତିହାସକୁ ଦର୍ଶାଯାଇଛି। ୭୦ ବର୍ଷ ଶାସନ ପରେ କଂଗ୍ରେସ ୪୮ କୋଟି ୨୦ ଲକ୍ଷ ୬୯ ହଜାର ଟଙ୍କା ଲୋକଙ୍କ ଠାରୁ ଚୋରି କରିଛି।
କଂଗ୍ରେସ ଲୁଟିଥିବା ଅର୍ଥରେ ଅତି କମ୍ରେ ୨୪ଟି ଆଇଏନଏସ ବିକ୍ରାନ୍ତ, ୩୦୦ ରାଫେଲ ଜେଟ୍ ଏବଂ ୧୦ ମଙ୍ଗଳ ମିଶନ କରାଯାଇ ପାରିଥାନ୍ତା କିମ୍ବା କିଣାଯାଇ ପାରିଥାନ୍ତା। କିନ୍ତୁ କଂଗ୍ରେସର ଦୁର୍ନୀତିର ମୂଲ୍ୟ ଦେଶକୁ ବହନ କରିବାକୁ ପଡ଼ିଥିଲା ଏବଂ ପ୍ରଗତି ଦୌଡ଼ରେ ଏହା ପଛରେ ପଡ଼ିଯାଇଥିଲା।