Spread the love

ବାରପିଦା : ମଧ୍ୟାହ୍ନ ଭୋଜନରେ ତରକାରୀ ଦେଲେନି। ତେଣୁ ଥାଳିରେ ଭାତ ଧରି ପ୍ରାୟ ଦେଢ଼ କିମି ଚାଲିଲେ ପିଲା। ସେମାନେ ଚାଲି ଚାଲି ବ୍ଲକ୍‌ ଅଫିସ୍‌ରେ ପହଞ୍ଚି ଧାରଣାରେ ବସିଲେ। ବିଡିଓଙ୍କ ଦେଖାନକଲେ ଉଠିବେ ନାହିଁ ବୋଲି ଶୁଣାଇଦେଲେ। ଏପରି ଚିତ୍ର ଆସିଛି ମୟୂରଭଞ୍ଜ ଜିଲ୍ଲାରୁ।
ରାସଗୋବିନ୍ଦପୁର ବ୍ଲକର ବିନୋଦ ବିହାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଆଜି ୧୨୦ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଆସିଥିଲା। ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଖାଦ୍ୟ ପ୍ରସ୍ତୁତ କରି ସ୍କୁଲକୁ ଆଣିଥିଲା। ନିର୍ଦ୍ଧାରିତ ସମୟରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇଥିଲେ। ସବା ଶେଷରେ ବସିଥିବା ୧୫ ଜଣ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କୁ କିନ୍ତୁ ଖାଇବା ମିଳିନଥିଲା। ସେମାନଙ୍କୁ ଖାଇବା ପାଇଁ କେବଳ ଭାତ ଦିଆଯାଇଥିଲା। ପିଲାମାନେ ତରକାରୀ ମାଗିବାରୁ ନାହିଁ ବୋଲି ଖାଦ୍ୟ ବଣ୍ଟନ ଦାୟିତ୍ୱରେ ଥିବା ପାଚିକା ଓ ସହାୟିକା କହିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ କିଛି ସମୟ ଧରି ଉଭୟଙ୍କ ଭିତରେ ଯୁକ୍ତିତର୍କ ଲାଗିଥିଲା।
ଯୁକ୍ତିତର୍କ ଚାଲିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିଲେ। ନିୟମିତ ଏମିତି ହେଉଥିବାରୁ ପିଲାମାନେ ରାଗିଯାଇ ଥାଳିରେ ଭାତ ଧରି ବିଡିଓ ଅଫିସ୍‌ ଅଭିମୁଖେ ଚାଲିଥିଲେ। ପ୍ରାୟ ଦେଢ଼ କିମି ଚାଲିବା ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାମାନେ ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ ଭାତ ଥଳି ରଖି ଧାରଣାରେ ବସିଛନ୍ତି। ସେପଟେ ଆଜି ଅଭିଯୋଗ ଶୁଣାଣୀ ଥିବାରୁ ବିଡ଼ିଓ ଅଫିସ୍‌ରେ ନଥିଲେ। ତେଣୁ ବିଇଓ ଧାରଣା ସ୍ଥଳରେ ପହଞ୍ଚି ପିଲାଙ୍କୁ ବୁଝାଇଥିଲେ। ହେଲେ ପିଲାମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ବିଡିଓଙ୍କୁ ଦେଖାନକଲେ, ଧାରଣାରୁ ଉଠିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ।
ଅଭିଯୋଗରୁ ପ୍ରକାଶ, ମଧ୍ୟାହ୍ନ ଭୋଜନ ଦାୟିଥିବା ସ୍ୱୟଂ ସହାୟଗ କୋଷ୍ଠୀ ନିୟମିତ କମ୍‌ ଖାଦ୍ୟ ପ୍ରସ୍ତୁତ କରି ଆଣୁଛି। ଯେଉଁଥିପାଇଁ ବହୁ ପିଲା ଖାଇବାକୁ ନପାଇ ଭୋକିଲା ରହୁଛନ୍ତି। ପିଲାଙ୍କ ପାଇଁ ୩ କେଜି ଡାଲିର ଆବଶ୍ୟକତା ଥିବା ବେଳେ ୧ କେଜିରେ ଚଳାଇ ଦେଉଛି। ଯେଉଁଥିପାଇଁ ତରକାରୀ ଅଭାବ ହେଉଛି। ଅଧିକାଂଶ ସମୟରେ ପିଲାମାନେ ଭୋକିଲା ରହୁଛନ୍ତି। ଏନେଇ ସ୍କୁଲ କର୍ତ୍ତୃପକ୍ଷ ଓ ସ୍କୁଲ ପରିଚାଳନା କମିଟି ବହୁବାର ବିଇଓଙ୍କ ପାଖରେ ଅଭିଯୋଗ କରିଛନ୍ତି। ଏହା ସତ୍ତ୍ୱେ ସ୍ୱୟଂ ସହାୟଗ କୋଷ୍ଠୀ ପିଲାଙ୍କୁ ନିମ୍ନମାର ଖାଦ୍ୟ ଦେଉଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *