Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରନେମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଆଜି ଗୁଜୁରାଟର ଏକ ସେସନ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜାମିନ ଦେଇଛନ୍ତି।  ଜାମିନ ପାଇବା ପରେ କଂଗ୍ରେସର ପୂର୍ବତନ ଏମପି ରାହୁଲ ଗାନ୍ଧି ଟ୍ୱିଟ୍‌ କରି କହିଛନ୍ତି ଯେ, ସତ୍ୟ ହେଉଛି ମୋର ଅସ୍ତ୍ର।

ମିତ୍ରକାଳ ସମୟରେ ଲଢ଼ି ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ତାଙ୍କର ଏହା ହେଉଛି ସଂଗ୍ରାମ। ଏହି ସଂଗ୍ରାମରେ ସତ୍ୟ ମୋର ଅସ୍ତ୍ର ଏବଂ ସତ୍ୟ ମୋର ଆଶ୍ରୟ ବୋଲି ସେ ଟ୍ୱିଟ୍ କରିଛନ୍ତି। ବର୍ତ୍ତମାନର କେତେକ  ନିର୍ଦ୍ଦିଷ୍ଟ ପୁଞ୍ଜିପତିମାନଙ୍କର କେନ୍ଦ୍ରସରକାରଙ୍କ ସହ ଥିବା ସମ୍ପର୍କକୁ ଟାର୍ଗେଟ କରି ଏହାକୁ ମିତ୍ରକାଳ ବୋଲି କହିଛନ୍ତି ରାହୁଲ। ସେହିପରି ବଜେଟକୁ ମଧ୍ୟ  ସେ “ମିତ୍ର କାଲ୍ ବଜେଟ୍” ବୋଲି କହିଥିଲେ। ସୂଚନା ଅନୁଯାୟୀ, ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁରଟ ସେସନ୍ସ କୋର୍ଟ। ମୋଦୀ ସାଙ୍ଗିଆ ନେଇ ମାନହାନି ମାମଲାରେ ରାହୁଲଙ୍କ ଜାମିନ ଅବଧିକୁ ଏପ୍ରିଲ ୧୩ ପର୍ଯ୍ୟନ୍ତ କୋର୍ଟ ବୃଦ୍ଧି କରିଛନ୍ତି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ ହେବ। ସୋମବାର ରାହୁଲ ଗାନ୍ଧୀ ଗୁଜରାଟର ସୁରଟସ୍ଥିତ ସେସନ୍ସ କୋର୍ଟରେ ମୋଦୀ ସାଙ୍ଗିଆ ମାନହାନି ମାମଲାରେ ଜିଲା ଅଦାଲତ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ। ଏହି ମାମଲାରେ ଦଣ୍ଡ ଘୋଷଣା ହେବାର ୧୧ଦିନ ପରେ ସେ ସେସନ୍ସ କୋର୍ଟରେ ଏହା ବିରୋଧରେ ପିଟିସନ ଦାଖଲ କରିଛନ୍ତି। ପିଟିସନ ଦାଖଲ ପରେ କୋର୍ଟ ତାଙ୍କୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି। ଏହା ସହିତ ରାହୁଲ ତାଙ୍କ ଦଣ୍ଡାଦେଶକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି, ଯାହାର ଶୁଣାଣି ମେ’ ୩ରେ ହେବ।

Leave a Reply

Your email address will not be published. Required fields are marked *