ହରିହର ତ୍ରିପାଠୀ
ମୁଁ ଓଡିଆ, ଓଡ଼ିଶା ମୋର ଜନ୍ମମାଟି । ତେବେ ମତେ ଲାଗୁଛି ମୁଁ ଯେମିତି ମୋର ଠିକଣା ଭୁଲି ଯାଇଛି । ମୋତେ ଖୋଜିବାକୁ ପଡୁଛି, ନିଜକୁ, ନିଜର ଅସ୍ତିତ୍ୱକୁ, ନିଜର ସ୍ୱାଭିମାନକୁ । ଦେଶରେ ଭାଷାଭିତ୍ତିରେ ଗଠିତ ହୋଇଥିବା କତିପୟ ରାଜ୍ୟଙ୍କ ଭିତରେ ମୋ ରାଜ୍ୟ ଓଡ଼ିଶା ଯାହାର ଭାଷା ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା । ହେଲେ ଦୁର୍ଭାଗ୍ୟ ଏହି ଭାଷା କହିବାକୁ, ଲେଖିବାକୁ ଓ ପଢିବାକୁ ରାଜ୍ୟବାସୀମାନେ ବିଶେଷକରି ରାଜ୍ୟର ବିଶିଷ୍ଟ ନାଗରିକମାନେ ପସନ୍ଦ କରନ୍ତିନି ।
ଭାଷା କେବଳ ବଞ୍ôଚରହିଛି ଗାଁଗହଳିର ମୋ ଭଳି ଓଡ଼ିଆମାନଙ୍କ ମାଧ୍ୟମରେ । ଆମେ ଓଡ଼ିଆ କହୁ, ଓଡ଼ିଆ ପଢୁ ଆଉ ନିଜର ପିଲାମାନଙ୍କୁ ଓଡ଼ିଆ ଶିଖାଉ । ମାତ୍ର ରାଜ୍ୟର ବଡବଡିଆ ବାବୁ, ନେତାମାନେ ଓଡ଼ିଆ ନିଜେ କହନ୍ତିନି କି ନିଜର ପିଲାମାନଙ୍କୁ କହିବାକୁ କୁହନ୍ତିନି । ଇଂରାଜୀମାଧ୍ୟମରେ ପାଠ ପଢୁଥିବା ସେମାନଙ୍କ ପିଲାମାନେ କିନ୍ତୁ ଆଧୁନିକ ଓଡ଼ିଆରେ ଗଣା ହୁଅନ୍ତି । ଆଉ କାହାକଥା କ’ଣ କହିବି ମୋ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ଠିକ୍ଭାବେ କହି ପାରୁନାହାନ୍ତି, ହିନ୍ଦୀ ଓ ଇଂରାଜୀଲିପିରେ ଓଡ଼ିଆର ଭାଷଣ ପଢୁଛନ୍ତି । ଦୀର୍ଘବର୍ଷ ଓଡ଼ିଶାରେ ଶାସନ କରୁଥିଲେ ବି, ଓଡ଼ିଆଙ୍କ ସୁଖଦୁଃଖରେ ସାମିଲ ହୋଇଥିଲେ ବି ଭାଷାଟା ଶିଖିବାକୁ ତାଙ୍କୁ ଏତେ କଷ୍ଟ କାହିଁକି ହେଉଛି ତାହା ମୁଁ ବୁଝି ପାରେନା । ମୋ ରାଜ୍ୟର କିଛି ବୁଦ୍ଧିଜୀବୀ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ନକହିବାଟିକୁ ଇସ୍ୟୁ କରି ରାଜନୀତି କରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାଣି ନାହାନ୍ତି ବୋଲି କହୁନାହାନ୍ତି, ହେଲେ ଯେଉଁ ବାବୁମାନେ ଭଲଭାବେ ଓଡ଼ିଆ ଜାଣିଛନ୍ତି ସେମାନେ ଓଡ଼ିଆ କେତେ କହନ୍ତି ?? ରାଜ୍ୟର ବଡ ବଡ ଅଫିସମାନଙ୍କରେ ବଡବାବୁମାନେ ଓଡ଼ିଆ କହନ୍ତିନି, ଉଚ୍ଚସ୍ତରର ମିଟିଂ, କର୍ମଶାଳା ଇତ୍ୟାଦି ଓଡ଼ିଆରେ ନହୋଇ ଇଂରାଜୀରେ ହୁଏ, ଇଂରାଜୀର ବିକଳ୍ପଭାବେ ହିନ୍ଦୀକୁ ବରଂ ନିଆଯାଏ ଓଡ଼ିଆକୁ ନୁହେଁ । ରାଜଧାନୀର ଆକାଶଛୁଆଁ ବଡ ବଡ ମଲ୍ ବା ବିପଣୀମାଳାକୁ ଗଲେ କେବଳ ହିନ୍ଦି ଓ ଇଂରାଜୀରେ କଥା ହେବାକୁ ପଡେ । ନେତା, ବାବୁମାନେ ଯେତେବେଳେ ନିଜ ନିଜ ଭିତରେ କଥା ହୁଅନ୍ତି ସେତେବେଳେ ଇଂରାଜୀରେ ହିଁ ହୁଅନ୍ତି । ହେଲେ ସେଇମାନଙ୍କ ଭିତରୁ କିଛି ଲୋକେ ଓଡ଼ିଆଭାଷାରେ ଶାସନ ହେଉ ବୋଲି ଦାବୀ କରନ୍ତି ।
ମୁଁ ଜଣେ ସଚ୍ଚା ଓଡ଼ିଆ । ମୁଁ ଟଙ୍କିକିଆ ଚାଉଳ ପାଏ, ମୋର ରାସନ କାର୍ଡ ଅଛି, ସହରକୁ ଗଲେ ପାଞ୍ଚଟଙ୍କିଆ ଆହାର କେନ୍ଦ୍ରରେ ପ୍ଲେଟ ଧରି ଛିଡାହୁଏ । ମୋ ପୁଅ ସରକାରୀ ସ୍କୁଲରେ ପଢେ ତାକୁ ତେଣୁ ତାକୁ ସାଇକେଲ, ବହି, ପୋଷାକ ମାଗଣାରେ ମିଳେ । ମୁଁ ଓଡ଼ିଆ ବୋଲି ବହୁ ଜିନିଷ ମାଗଣାରେ ପାଏ । ଏମିତି ମାଗଣା ନେଇ ନେଇ ଆଜି ମୁଁ ମୋର ସ୍ୱାଭିମାନକୁ ଭୂଲିଗଲା ପରି ଲାଗୁଛି । ହେଲେ ଯେତେବେଳେ ଓଡ଼ିଆର ସ୍ୱାଭିମାନ କଥା ଉଠେ ସମସ୍ତେ ମୋତେ ଲକ୍ଷ୍ୟ କରି କୁହନ୍ତି । ଯେଉଁମାନେ ଓଡ଼ିଆ, ଓଡ଼ିଶାର ଗୌରବ କଥା କହନ୍ତି ସେଇମାନେ ହିଁ ପ୍ରଥମେ ସେସବୁ ନଷ୍ଟ କରନ୍ତି । ଆଜି ମୋର ସେଇ ଓଡ଼ିଆ ବାବୁମାନଙ୍କୁ ପ୍ରଶ୍ନ – ଓଡ଼ିଆ ଓଡ଼ିଆ କହୁଥିବା କେତେଜଣ କେତେଜଣ ନିଜନିଜର ପୁଅଝିଅଙ୍କୁ ବା ନାତିନାତୁଣୀମାନଙ୍କୁ ଓଡ଼ିଆସ୍କୁଲରେ ପାଠ ପଢାଉଛନ୍ତି ? କେତେଜଣ ନିଜ ଘରର ପର୍ବପର୍ବାଣୀ, ଉତ୍ସବଅନୁଷ୍ଠାନର ନିମନ୍ତ୍ରଣପତ୍ର ଓଡ଼ିଆ ଭାଷାରେ ଛାପୁଛନ୍ତି? ନିଜ ଅଞ୍ଚଳରେ ରହିଥିବା ଲୋକପ୍ରିୟ ଅନୁଷ୍ଠାନର ନାମଫଳକ ଇଂରାଜୀରେ ଲେଖାଥିଲେ ତାହାର ପ୍ରତିବାଦ କରୁଛନ୍ତି ? ଘରେ ଭୋଜିଭାତ ହେଲେ ଅତିଥିଙ୍କୁ ବଫେରେ ଖାଇବାକୁ ନଦେଇ ଶ୍ରଦ୍ଧାର ସହିତ ବାଢିଦେଉଛନ୍ତି ? କେତେଜଣ ନିଜର ପିଲାମାନଙ୍କୁ ବାପାବୋଉ ଡାକିବା ଶିଖାଇଛନ୍ତି ? ନିଜର ଆଖିସାମ୍ନାରେ ନିଜ ପିଲାମାନେ ଯେତେବେଳେ ହିନ୍ଦି, ଇଂରାଜୀରେ ପରସ୍ପର ସହିତ କଥା ହେଉଛନ୍ତି କେତେଜଣ ତାହାର ବିରୋଧ କରୁଛନ୍ତି ?? ଟେଲିଭିଜ ଚ୍ୟାନେଲମାନଙ୍କର ବିଭିନ୍ନ ରିଏଲିଟି ଶୋ\’ରେ ଓଡ଼ିଆଭାଷା କହିବାକୁ ଉପସ୍ଥାପକ ଉପସ୍ଥାପିକାମାନେ ଲଜ୍ଜାବୋଧ କରିବାବେଳେ କାହାରିପାଟିରୁ ପଦେ ବି ବଚନ ବାହାରୁନି । ସରକାର ଇଂରାଜୀ ମିଡିୟମ ସ୍କୁଲଗୁଡିକୁ ବିରୋଧ କରୁନାହାନ୍ତି, ପରୋକ୍ଷ ପ୍ରୋତ୍ସହାନ ଦେଉଛନ୍ତି ଏକଥାର ଅଭିଯୋଗ ସତ୍ୟ ହୋଇପାରେ କିନ୍ତୁ ନିଜ ଅଞ୍ଚଳରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିବାକୁ କେତେଜଣ ସଚେତନ ଓଡ଼ିଆ ବିରୋଧ କଲେଣି ??? ଓଡ଼ିଆର ସ୍ୱାଭିମାନ ହତ୍ୟାଲାଗି ଏମିତି ଅନେକ କାର୍ଯ୍ୟ ପ୍ରତି ମୁହୂର୍ତ୍ତରେ ଆମ ସମସ୍ତଙ୍କ ଆଖିସାମ୍ନାରେ ହୋଇଚାଲିଛି । ଏସବୁ ଲାଗି ଆମେ ସଚେତନ ଓଡ଼ିଆ କରିଛେ କଣ ??? ମୁଖ୍ୟମନ୍ତ୍ରୀ ଓଡ଼ିଆ କହିପାରୁନାହାନ୍ତି ସତ ହେଲେ ଓଡ଼ିଆ ତ ଠିକ୍ଭାବେ ବୁଝି ପାରନ୍ତି । ତେବେ କେତେଜଣ ସାମ୍ବାଦିକ ବନ୍ଧୁ ଓଡ଼ିଆରେ ତାଙ୍କୁ ପ୍ରଶ୍ନ ପଚାରନ୍ତି ?? ସରକାର ଯେତେବେଳେ ରାଜ୍ୟରେ ଆଦର୍ଶ ବିଦ୍ୟାଳୟ ଗୁଡିକ ଇଂରାଜୀ ମାଧ୍ୟମରେ କରୁଛନ୍ତି ସେତେବେଳେ କେତେଜଣ ବାବୁ ଏ ନେଇ ପ୍ରଶ୍ନ ଉଠାଇଲେଣି ?
ଚାରିଆଡେ ଇଂରାଜୀର ପ୍ରାବଲ୍ୟ । ଓଡ଼ିଆ ଭାଷା, ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରା କେବଳ ଗାଁ ଗହଳିରେ ହିଁ ରହିବ । ସହରରେ ଏସବୁର ରକ୍ଷା ନିମନ୍ତେ ଟେଲିଭିଜନ ଚ୍ୟାନେଲ, କ୍ଲବ, ସାଂସ୍କୃତି ଅନୁଷ୍ଠାନମାନ ରହିଛି । ଲୋକେ ନିଜର ମାତୃଭାଷା, ଆପଣାର ସଂସ୍କୃତି ବିଷୟରେ ଏସବୁରୁ ଜାଣିବେ । ନିଜ ଘରେ କିନ୍ତୁ ଓଡ଼ିଆର ଚିହ୍ନବର୍ଣ୍ଣ ରହିବନି । ଏମିତି ସମୟରେ ମନପଡନ୍ତି ସେଇ ମହାମନିଷୀମାନେ । ସେମାନେ କହିଥିଲେ ଏ ଜାତି ଉଠିବା ଦରକାର । ତେବେ ଗୋଟାଏ ଜାତିକୁ ଉଠିବାକୁ କେତେ ସମୟ ଦରକାର ? ପଞ୍ଚାଅଶୀବର୍ଷ ଯଥେଷ୍ଟ ନୁହେଁ କି ? ତଥାପି ଓଡ଼ିଆ ଜାତି ଉଠିପାରିଲା ନାହିଁ । ନିଜର ସ୍ୱାଭିମାନକୁ ରକ୍ଷା କରିପାରିଲା ନାହିଁ ।
ଏସବୁ ଭାବିଲେ ମୋତେ ଦୁଃଖଲାଗେ । ମୋ ରାଜ୍ୟରେ ସବୁ ଅଛି । ଖଣିଖାଦାନଠାରୁ ଆରମ୍ଭ କରି ବିପୁଳ ପ୍ରାକୃତିକ ସମ୍ପଦରେ ଭରପୁର ମୋର ରାଜ୍ୟ । ତଥାପି ମୋ ପିଲାମାନେ କାମ ପାଉ ନାହାନ୍ତି । ଟଙ୍କିକିଆ ଚାଉଳ ଖାଇ ବାପାଙ୍କ ଗାଳି ଶୁଣିବା ଅପେକ୍ଷା ସୁରଟ, ଅହମ୍ମଦାବାଦର ସୂତାକଳରେ ଖଟିବରକୁ ପସନ୍ଦ କରୁଛନ୍ତି । ନିଜ ଜମି ପଡିଆ ପକେଇ ଉପକୂଳଅଞ୍ଚଳର ଯୁବକ ଯାଇ ପଞ୍ଜାବ ହିମାଚଳରେ ପାଣିପାଇପ ମିସ୍ତ୍ରୀ କାମ କରୁଛି । କାହିଁକି, କାହିଁକି ଏ ଦୁର୍ଦ୍ଦଶା ମୋ ରାଜ୍ୟର ??
ମୋରି ରାଜ୍ୟର ନେତା ଥିଲେ ଉତ୍କଳମଣି, ଯିଏ ନିଜର ସର୍ବସ୍ୱ ତ୍ୟାଗକରି ଧାଇଁ ଯାଉଥିଲେ ଲୋକଙ୍କ ପାଖକୁ । ତାଙ୍କର ଅନନ୍ୟ ଦେଶସେବାକୁ, ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରାକୁ କେତେଜଣ ନେତା ଅନୁସରଣ କରୁଛନ୍ତି ? କେତେଜଣ ରାଜନେତା ଦେଶର ସ୍ୱରାଜ୍ୟ ପଥରେ ନିଜର ହାଡମାଂସକୁ ବଳିଦେବାକୁ ଆଗଭର ହୋଇ ଆସୁଛନ୍ତି ? ତା ହୋଇଥିଲେ ଚିଟ୍ଫଣ୍ଡ ଠାରୁ ଆରମ୍ଭ କରି ଖଣି, ଖାଦାନ, କୋଇଲା ପରି ଯାବତୀୟ ଦୁର୍ନୀତିରେ ରାଜନେତାମାନଙ୍କ ନାମ ଡିବିଡିବି ହୋଇ ବାଜୁନଥାନ୍ତା । ସରଳ ଜୀବନ ଆଜିର ନେତାମାନଙ୍କ ନିକଟରେ ସ୍ୱପ୍ନ । ଉଚ୍ଚଚିନ୍ତାଧାରାର ଅର୍ଥହେଲା ନିଜେ ଉଚ୍ଚରେ ରହି ସବୁସମୟରେ ଦେଶବାସୀଙ୍କୁ ହାତପାତି ବଢେଇଦେବାର ଚିନ୍ତା । ଆଉ ଏ ଜାତିଟା ବି ସ୍ୱାଭିମାନ ରୂପକ ଶବ୍ଦକୁ ଭୁଲିସାରିଲାଣି । ଦିନେ ଏଇ ଓଡିଆ ଜାତିର କେଉଁ ଏକ ଅଖ୍ୟାତ ଯୁବକ ସିରେଇ ଗାଁର ଚାଉଳ ବଣ୍ଟାଯାଉଥିବା କେନ୍ଦ୍ରରେ ହାତପାତି ଗୋଡଭାଙ୍ଗି ଠିଆ ହେବାକୁ ନିଜର ସ୍ୱାଭିମାନର ହତ୍ୟା ବୋଲି ମନେ କରୁଥିଲା । ହେଲେ ଆଜି ସେ ଅବସ୍ଥା ଆଉ ନାହିଁ । ଗରିବ ତାଲିକାରେ ରହିବା ଲାଗି ପ୍ରତିଯୋଗିତା ସହିତ ସବ୍ସିଡି, ଇନ୍ଦିରାଆବାସ, ରାସନକାର୍ଡ ଲାଗି ବାଡିଆପିଟା ଦେଖିଲେ ଲାଜ ଲାଗୁଛି । ଏ କ\’ଣ ଏଜାତିର ସ୍ୱାଭିମାନ ?? ଏ କ\’ଣ ଏ ଜାତିର ପ୍ରଗତି ??
ଏହାରି ଭିତରେ ମୁଁ ବଞ୍ôଚବା ଲାଗି ଯୁଦ୍ଧ କରୁଛି । ମୋ ଭାଷା ବଞ୍ôଚବା ଲାଗି ସଂଗ୍ରାମ କରୁଛି ଆଉ ଅପେକ୍ଷା କରିଛି ନୂଆ ଏକ ସକାଳକୁ ନୂଆ ଏକ ନେତୃତ୍ୱକୁ !!!
ମୋ : ୯୪୩୯୯୦୩୨୨୦