Spread the love

ପୁରୀ : ସ୍ବର୍ଗଦ୍ବାରରେ ଶବଦାହ ପାଇଁ ମିଳୁନି ଘିଅ। ପୂର୍ବଭଳି ପୁଣି ମୃତକଙ୍କ ଆତ୍ମୀୟସ୍ବଜନ ବାହାରୁ ଘିଅ କିଣି ଶୋଷଣର ଶିକାର ହେଉଛନ୍ତି। ଶବଦାହ ପାଇଁ ସ୍ବର୍ଗଦ୍ବାରରେ ଖୋଲିଥିବା ଓର୍‌ମାସ କାଉଣ୍ଟର୍‌ରେ ଘିଅ ଅଭାବ ପଡ଼ୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବକ, ପୂର୍ବରୁ ସ୍ବର୍ଗଦ୍ବାରରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା ସାମଗ୍ରୀ ବିକ୍ରିର ସୁଯୋଗ ମିଳୁଥିଲା। ଚନ୍ଦନ କାଠ, ଘିଅ ସହ ଅନ୍ୟାନ୍ୟ ସାମଗ୍ରୀ ଏମାନେ ବିକ୍ରି କରି ଆସୁଥିଲେ। ତେବେ, ଚଢ଼ାଦରରେ ଏହି ସାମଗ୍ରୀ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ଏଣୁ ସ୍ବର୍ଗଦ୍ବାରରେ ନବକଳେବର ପରେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଫଳରେ ପୂର୍ବ ବ୍ୟବସ୍ଥା ଉଚ୍ଛେଦ କରାଯାଇ ନୂଆ ବ୍ୟବସ୍ଥା ଲାଗୁ ହେଲା। ମୃତଦେହ ପଞ୍ଜୀକରଣ କାର୍ଯ୍ୟାଳୟ ସାଙ୍ଗକୁ କାଫେ, କାଠଗୃହ ଆଦି ଭିନ୍ନ ଭିନ୍ନ କରାଗଲା। ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଆବଶ୍ୟକ ଘିଅ, ହଳଦୀ, ଚନ୍ଦନକାଠ ସହ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦେବାକୁ ଓର୍‌ମାସକୁ ଦାୟିତ୍ବ ଦିଆଗଲା। ଓର୍‌ମାସ ପୁରୀ ଜିଲ୍ଲାର ପ୍ରଡ୍ୟୁସିଂ ଗ୍ରୁପ ମା’ ଭଗବତୀ ଆପ୍ଲିକ୍ୟୁ କ୍ଲଷ୍ଟରକୁ ଏହି ଦାୟିତ୍ବ ଦେଲା। ସେବେଠୁ ଏହି କ୍ଲଷ୍ଟର ଶବାଦାହ ଓ ଅନ୍ତ୍ୟେଷ୍ଟିର ସମସ୍ତ ସାମଗ୍ରୀ ଯୋଗାଇ ଆସୁଛି। ଯେଉଁଥିରେ ୨ଶହ ଗ୍ରାମ ପ୍ୟାକେଟ୍‌ ଘିଅ ସାଙ୍ଗକୁ ଅନ୍ୟାନ୍ୟ ସାମଗ୍ରୀ ରହୁଛି। ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଥିବା ଅନୁଦାନ ଏ ବାବଦରେ ଖର୍ଚ୍ଚ କରାଯାଉଛି। ଯେଉଁମାନେ ଅଧିକ ଘିଅ ଆବଶ୍ୟକ କରୁଛନ୍ତି, ସେମାନେ ଓର୍‌ମାସ କାଉଣ୍ଟରରେ ଟଙ୍କା ଦେଇ ଘିଅ କିଣୁଛନ୍ତି। କିନ୍ତୁ, ଏହି ୨ଶହ ଗ୍ରାମ ଗୁଆ ଘିଅ ଆଉ ସ୍ବର୍ଗଦ୍ବାରରେ ମିଳୁନଥିବା ମୃତକଙ୍କ ଆତ୍ମୀୟସ୍ବଜନମାନେ ଅଭିଯୋଗ କରିଛନ୍ତି।
ପୁରୀର ନାରାୟଣ ଦାଶ ବି ସ୍ବର୍ଗଦ୍ବାର ସେବା ସମିତି ନିକଟରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ।
ଏ ସମ୍ପର୍କରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର କହିଛନ୍ତି, ଘିଅ ଅଭାବ ଘଟଣା ଆମ ନଜରକୁ ଆସିନି। ମୁଁ ନିଜେ ଗତକାଲି ସ୍ବର୍ଗଦ୍ବାର ଓରମାସ ଷ୍ଟକ୍‌ ଯାଞ୍ଚ କରିଥିଲି। ଘିଅ ଯଥେଷ୍ଟ ଥିଲା। ତଥାପି କାହିଁକି ଘିଅ ଅଭାବ ପଡ଼ିଲା, ତାହାର ଅନୁସନ୍ଧାନ କରିବି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *