ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଥାତ ୨୦୨୩ରେ ୨ଟି ସୂର୍ଯ୍ୟପରାଗ ଓ ୨ଟି ଚନ୍ଦ୍ରଗ୍ରହଣ ପଡ଼ିବ। ଏପ୍ରିଲ ମାସରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବ।
ଏପ୍ରିଲ ୨୦ ତାରିଖ ସକାଳ ୭ଟା ବାଜି ୪ମିନିଟରୁ ମଧାହ୍ନ ୧୨ଟା ବାଜି ୨୯ ମିନିଟ ପର୍ଯ୍ୟନ୍ତ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବ। ଏହି ସୂର୍ଯ୍ୟପରାଗକୁ ଭାରତରେ ଦେଖିବାକୁ ମିଳିବ ନାହିଁ। ଅଷ୍ଟ୍ରେଲିଆ, ହିନ୍ଦ ମହାସାଗର, ଦକ୍ଷିଣ ଏସିଆ, ପ୍ରଶାନ୍ତ ମହାସାଗର ଓ ପୂର୍ବ ଏସିଆରେ ଏହା ଦୃଶ୍ୟମାନ ହେବ।
ପରାଗ ହେଉ କି ଗ୍ରହଣ ଦେଖାଗଲେ ହିଁ ତାର ସୂତକ କାଳ ରହିଥାଏ। ଯେହେତୁ ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ ସେଥିପାଇଁ ଏହାର ସୂତକ କାଳକୁ ମଧ୍ୟ ଧରାଯିବ ନାହିଁ।
ସୌର ଜଗତରେ ଚନ୍ଦ୍ର ପୃଥିବୀର ଚାରିପଟେ ଘୁରୁଥାଏ ଏବଂ ପୃଥିବୀ ସୂର୍ଯ୍ୟର ଚାରିପଟେ ଘୁରୁଥାଏ ବୋଲି ଆମେ ସମସ୍ତେ ଜାଣିଛେ । ଏହି ଘୂର୍ଣ୍ଣନ ପ୍ରକ୍ରିୟା ଅହରହ ଚାଲୁଥିବା ବେଳେ ଯେଉଁ ଦିନ ଚନ୍ଦ୍ର ଘୁରୁଥିବା ଅବସ୍ଥାରେ ପୃଥିବୀ ଆଉ ସୂର୍ଯ୍ୟ ମଧ୍ୟରେ ଏକ ସରଳ ରେଖାରେ ଅବତୀର୍ଣ୍ଣ ହୋଇଥାଏ, ସେହି ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକର କିଛି ଅଂଶ ଚନ୍ଦ୍ରଙ୍କଦ୍ୱାରା ଆଛାଦିତ ହୋଇଥାଏ। ଏହାକୁ ସୂର୍ଯ୍ୟପରାଗ ବୋଲି କୁହାଯାଇଥାଏ । ସୂର୍ଯ୍ୟପରାଗ କେବଳ ଅମାବାସ୍ୟା ତିଥିରେ ପଡ଼ୁଥିବା ବେଳେ ସବୁ ଅମାବାସ୍ୟାରେ ସୂର୍ଯ୍ୟପରାଗ ପଡେ ନାହିଁ ବୋଲି କୁହାଯାଉଛି।