Spread the love

ଯାଜପୁର : ଯାଜପୁର ସରକାରୀ ପଲିଟେକନିକର ବିରଜା ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀଙ୍କ ନାଁ ରୋଜାଲିନ ପାତ୍ର। ସେ ଇଲେକ୍ଟ୍ରିକାଲ ବିଭାଗର ତୃତୀୟ ବର୍ଷର ଛାତ୍ରୀ ଥିଲେ।
ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗାଁର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ୪ଟି କ୍ୟାମ୍ପସ ପାଇ ସାରିଥିଲେ। ସେଥିପାଇଁ ସେ ଓ ତାଙ୍କ ପରିବାର ଲୋକେ ବହୁତ ଖୁସି ଥିଲେ। ତେବେ ଏଭଳି ସ୍ଥିତିରେ ଏମିତି ଏକ ଘଟଣା କେମିତି ଘଟିଗଲା ତାହା ସ୍ପଷ୍ଟ ହୋଇନାହିଁ।
ପରିବାର ଲୋକେ ରୋଜାଲିନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ତାଙ୍କୁ ମାରି ଝୁଲାଇ ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ୪ଟି କ୍ୟାମ୍ପସ ପାଇବା ପରେ ରୋଜାଲିନଙ୍କୁ ତାଙ୍କ ସହପାଠୀମାନେ ଈର୍ଷା କରୁଥିଲେ। ତାଙ୍କୁ ହଇରାଣ କରୁଥିଲେ। ଆଉ କୌଣସି କ୍ୟାମ୍ପସରେ ନବସିବାକୁ ତାଙ୍କୁ ଧମକ ଦେଉଥିଲେ।
ରୋଜାଲିନଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ ସୋମବାର ଜଣେ ଛାତ୍ର ତାଙ୍କୁ (ରୋଜାଲିନଙ୍କୁ) ମାଡ଼ ମାରିଥିଲେ। ରୋଜାଲିନଙ୍କୁ ଅଶ୍ଲୀଳ ମେସେଜ ମଧ୍ୟ କରାଯାଉଥିଲା। ଏ ସଂପର୍କରେ ସେ ଘର ଲୋକଙ୍କୁ ଜଣାଇଥିଲେ। ଯିଏ ଭଲ ପଢ଼େ, ଭଲ ମାର୍କ ରଖେ ବା କ୍ୟାମ୍ପସ ପାଏ, ତାଙ୍କୁ ଏମିତି ହଇରାଣ କରାଯାଏ ବୋଲି ରୋଜାଲିନ ତାଙ୍କୁ କହିଥିବା ତାଙ୍କ ମା’ କହିଛନ୍ତି।
ରୋଜାଲିନଙ୍କ ପରିବାର ଲୋକେ ଏହି ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଦାୟୀ କରିଛନ୍ତି। ଘଟଣା ସମ୍ପର୍କରେ ପୁଲିସ୍‌ କିମ୍ବା କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଖବର ଲେଖାଯିବା ବେଳେ ବେଳକୁ ପୁଲିସ୍ ହଷ୍ଟେଲରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବାକୁ ବ୍ୟବସ୍ଥା କରୁଥିଲା। ଯାଜପୁର ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ କୋରେଇ ଥାନା ଆଇଆଇସି ସଂଘମିତ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି।

Leave a Reply

Your email address will not be published. Required fields are marked *