Spread the love

ଭୁବନେଶ୍ବର : ଦୀର୍ଘ ମାସ ହେଲା ଆପାର୍ଟମେଣ୍ଟଗୁଡ଼ିକର କିଣାବିକା ହୋଇପାରୁ ନଥିବାରୁ ଘର ଆଶାୟୀ ହତାଶ ହୋଇଗଲେଣି। ଏପରିକି ଯେତିକି ଆପାର୍ଟମେଣ୍ଟରେ କିଣାବିକା ହୋଇଛି ସେଠାରେ ଆପାର୍ଟମେଣ୍ଟ ମାଲିକମାନେ କ୍ରେତାଙ୍କୁ ବିଭିନ୍ନ ପ୍ରକାରର ହଇରାଣ କରୁଥିବା ଅଭିଯୋଗ ହେଉଛି। ତେଣୁ ଏହାର ସମାଧାନ ପାଇଁ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ବିଲ୍, ୨୦୨୩ ଆଣିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ଏହି ବିଲ୍ ଆଗତ କରିଛନ୍ତି। ଏହାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଇଥିବାବେଳେ ଖୁବ୍ ଶୀଘ୍ର ଏହାକୁ ପାରିତ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହି ବିଲ୍‌ ପାରିତ ହେଲେ ଆପାର୍ଟମେଣ୍ଟ କିଣାବିକା ହୋଇପାରିବ।
ଏହି ବିଲ୍‌ ଅନୁଯାୟୀ, ସଂପୂର୍ଣ୍ଣ ସତ୍ତ୍ବ ଥିବା ସ୍ଥିତିବାନ ଜମି, ୩୦ବର୍ଷ ବା ତଦୁର୍ଦ୍ଧ ଅବଧି ଲାଗି ନିଆଯାଇଥିବା ଲିଜ୍ ଜମିରେ (ସବଲିଜ୍ ସମେତ) ଏହି ଅଧିନିୟମ ପ୍ରାରମ୍ଭ ପୂର୍ବରୁ ହେଉ କି ପରେ ହେଉ, ନିର୍ମିତ ହୋଇଥିବା ସମସ୍ତ ଆପାର୍ଟମେଣ୍ଟ ବା ଆପାର୍ଟମେଣ୍ଟ ଭାବେ ରୂପାନ୍ତରିତ ହୋଇଥିବା ସମସ୍ତ କୋଠାଗୁଡ଼ିକ ପ୍ରତି ଏହି ଅଧିନିୟମର ବ୍ୟବସ୍ଥାମାନ ପ୍ରଯୁଜ୍ୟ ହେବ। ସମସ୍ତ ନୂଆ ଓ ପୁରୁଣା‌ ଆପାର୍ଟମେଣ୍ଟ ପାଇଁ ଏହା ଲାଗୁ ହେବ। ହେଲେ କୌଣସି ସରକାରୀ ବିଭାଗ ବା‌ ସରକାରୀ ଉଦ୍ୟୋଗର କାର୍ଯ୍ୟାଳୟ ରୂପେ ବା ଅନ୍ୟ କୌଣସି ଭାବେ ବ୍ୟବହୃତ ହେଉଥିବା କୋଠା ବା ମାଲିକ ନିଜର ବ୍ୟବହାର ନିମନ୍ତେ ବା ଅନ୍ୟମାନଙ୍କୁ ଭଡ଼ା ଦେବା ନିମନ୍ତେ ବ୍ୟବହାର କରୁଥିବା କୋଠା ପାଇଁ ଏହି ଅଧିନିୟମର ବ୍ୟବସ୍ଥାମାନ ପ୍ରଯୁଜ୍ୟ ହେବ ନାହିଁ।
ବାସଗୃହ ପ୍ରକଳ୍ପର ସମ୍ପୂର୍ଣ୍ଣ ଜମିକୁ ‘କମନ୍ ଏରିଆ’ ବୋଲି ବିବେଚନା କରାଯିବ। ଅକ୍ୟୁପାନ୍ସି ସାର୍ଟିଫିକେଟ୍, ଓରେରା ସାର୍ଟିଫିକେଟ୍ ଓ ଆସୋସିଏସନ୍ ଥିଲେ ହିଁ ଆପାର୍ଟମେଣ୍ଟ ଡିଡ୍ ରେଜିଷ୍ଟ୍ରେସନ ହୋଇପାରିବ। କୌଣସି ପ୍ରକଳ୍ପରେ ଅତିକମ୍‌ରେ ୭ ଜଣ ବାସଗୃହ କ୍ରେତା କିମ୍ବା ୫୦ ପ୍ରତିଶତ କ୍ରେତା ହେବା ପରେ (ଯେଉଁଠି କମ୍) ଆସୋସିଏସନ୍ ଗଠନ ହୋଇପାରିବ। ତେବେ ଗୋଟିଏ ପ୍ରକଳ୍ପରେ ମାତ୍ର ଗୋଟିଏ ହିଁ ଆସୋସିଏସନ୍ ହୋଇପାରିବ। ସେହିପରି ଆସୋସିଏସନ୍ ଗଠନ ଲାଗି ପ୍ରକଳ୍ପରେ ଏକାଧିକ ଆପାର୍ଟମେଣ୍ଟ ମାଲିକ ହୋଇଥିବା ବ୍ୟକ୍ତି ମାତ୍ର ଗୋଟିଏ ହିଁ ଭୋଟ୍ ଦେଇପାରିବେ। ଯଦି ଆପାର୍ଟମେଣ୍ଟ ମାଲିକଙ୍କର ‌କିଛି ଫ୍ଲାଟ୍ ବିକ୍ରି ହୋଇନଥିବ ତେବେ ସେସବୁକୁ ମିଶାଇ ଆପାର୍ଟମେଣ୍ଟ ଏକମାତ୍ର ସଦସ୍ୟ ଭାବେ ଆସୋସିଏସନ୍‌ରେ ସାମିଲ୍‌ ହୋଇପାରି‌ବେ ଏବଂ ଗୋଟିଏ ଭୋଟ୍ ଦେଇପାରିବେ। କେବଳ ଏତିକି ନୁହେଁ, ଆପାର୍ଟମେଣ୍ଟରେ କେହି ଆସୋସିଏସନ୍‌ର ବିନା ଲିଖିତ ଅନୁମତି‌ରେ ବାହାର ପାର୍ଶ୍ବ କାନ୍ଥ ଓ ଝରକାରେ ଅନ୍ୟ ରଙ୍ଗ ଲଗାଇପାରିବେନି। ସାଧାରଣ କ୍ଷେତ୍ର ଓ ସୁବିଧା ଯେଉଁ ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ କେବଳ ସେହି ଉଦ୍ଦେଶ୍ୟରେ ହିଁ ବ୍ୟବହାର କରିବେ। ଆପାର୍ଟମେଣ୍ଟରେ କୌଣସି ଅତିରିକ୍ତ ନିର୍ମାଣ କରିପାରିବେନି। ଭଡ଼ାଟିଆଙ୍କ କୌଣସି କାର୍ଯ୍ୟ ପାଇଁ ମାଲିକମାନେ ଦାୟୀ ରହିବେ। ସାଧାରଣ ଦେୟ ବାବଦକୁ ଧାର୍ଯ୍ୟ ଦେୟ ଆପାର୍ଟମେଣ୍ଟ ମାଲିକମାନେ ଦେବେ। ସେମାନେ ସାଧାରଣ କ୍ଷେତ୍ର ସୁବିଧା ବ୍ୟବହାର କରୁନାହାନ୍ତି ବା ଆପାର୍ଟମେଣ୍ଟରେ ରହୁନାହାନ୍ତି କହି ଏଥିରୁ ନିଜକୁ ମୁକ୍ତ କରିପାରିବେନି।
ଏହାସହ ଆପାର୍ଟମେଣ୍ଟଗୁଡ଼ିକର ବୀମା, ୩୦ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ଆପାର୍ଟମେଣ୍ଟଗୁଡ଼ିକର ଢାଞ୍ଚାର ଗୁଣାବତ୍ତା ପରୀକ୍ଷା, କ୍ଷମତାପ୍ରାପ୍ତ ପ୍ରାଧିକାରୀଙ୍କ ନିର୍ଦ୍ଦେଶ ବିରୋଧରେ ଅପିଲ୍ ପାଇଁ ବ୍ୟବସ୍ଥା ପ୍ରଦାନ ସହ ଆଇନର ବିଭିନ୍ନ ଧାରାକୁ ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *