Spread the love

କଟକ : ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ସ୍ୱୟଂସହାୟକ ଗୋଷ୍ଠୀ ଭିତରେ ଥିବା ଅସନ୍ତୋଷ। ପରିସ୍ଥିତି ଏପରି ହୋଇଛି ଯେ ଆଜି ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିରରେ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଭିତରେ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା। ଦୁଇଗୋଷ୍ଠୀ ଭିତରେ ବଚସା ଯୋଗୁ ଜନଶୁଣାଣି ଶିବିର ପଡ଼ିଥିଲା ଉଠିଥିଲା। ଦୁଇଗୋଷ୍ଠୀଙ୍କୁ ବୁଝାଇବାକୁ ଏଠାରେ ଉପସ୍ଥିତ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କୁ ନାକେଦମ ହେବାକୁ ପଡ଼ିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲାପାଳଙ୍କ ନିଆଳୀ ବ୍ଲକରେ ଚାଲିଥିବା ଜନଅଭିଯୋଗ ଶୁଣାଣି ଶିବିରରେ।
ଏହି ବ୍ଲକର ମାଧବ ପଂଚାୟତର ଥିବା ତଇଲା ଜୟହନୁମାନ ସ୍ୱୟଂସାହାୟିକା ଗୋଷ୍ଠୀର ଅନେକ ମହିଳାଙ୍କୁ ସରକାରୀ ସହାୟତା ଦିଆଯାଉ ନ ଥିବା ଓ କୌଣସି ନିଷ୍ପତ୍ତିରେ ସାମିଲ କରାଯାଉନଥିବା ଅଭିଯୋଗ ହୋଇଥିଲା। ଏପରିକି ସଭାପତି ନିର୍ଣ୍ଣୟ କରିବାରେ ମଧ୍ୟ ସେମାନଙ୍କ ମତ ଗ୍ରହଣ କରାଯାଇ ନ ଥିବାରୁ ବର୍ତ୍ତମାନ ଥିବା ସଭାପତିଙ୍କୁ ହଟାଇ ନୂଆ କମିଟି ଗଠନ କରିବାକୁ ଦାବି ହୋଇଥିଲା। ଜିଲ୍ଲାପାଳଙ୍କ ଆଗରେ ଏହି ଗୋଷ୍ଠୀ ଦାବି ଉପସ୍ଥାପିତ କରୁଥିବା ବେଳେ ସଭାପତିଙ୍କୁ ସମର୍ଥନ କରୁଥିବା ଗୋଷ୍ଠୀ ଆସି ଶିବିର ଭିତରେ ପହଞ୍ଚି ଥିଲେ। ସେମାନେ ଦାବି ଉପସ୍ଥାପିତ କରୁଥିବା ଗୋଷ୍ଠୀଙ୍କ ସହ ବଚସା କରିବାରୁ ଘଟଣା ବଡ଼ ରୂପ ନେଇଥିଲେ।
ତେବେ ଜନଶୁଣାଣୀରେ ଉପସ୍ଥିତ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ବଚସା କରିବାକୁ ପହଞ୍ଚି ଥିବା ଗୋଷ୍ଠୀଙ୍କୁ ଶିବିରରୁ ବିଦା କରିବା ପରେ ପାଟିତୁଣ୍ଡ ଶାନ୍ତ ପଡ଼ିଥିଲା। ଏଥିସହ ଅଭିଯୋଗକାରୀଙ୍କ ଅଭିଯୋଗର ତଦନ୍ତ ଦାୟିତ୍ୱ ମିଶନ ଶକ୍ତିର ଅଧିକାରୀଙ୍କୁ ଦେଇଥିବା କହିବା ସହ ୭ଦିନ ଭିତରେ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜିଲ୍ଲାପାଳ ଜଣାଇବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।
ଜୟହନୁମାନ ସ୍ୱୟଂସାହାୟିକା ଗୋଷ୍ଠୀ ସଦସ୍ୟା ମମତା ବେହେରା କହିଛନ୍ତି, ମିଶନ ଶକ୍ତି ଦେଉଥିବା ସହାୟତା ଗୋଷ୍ଠୀର ସଭାନେତ୍ରୀ ହଡପ କରୁଛନ୍ତି। ସେମାନଙ୍କୁ ଦେଉନାହାନ୍ତି। ଟଙ୍କା କେଉଁଠୁ ଆସୁଛି, କିପରି ବଣ୍ଟା ଯାଉଛି କୁହାଯାଉନି। ଏପରିକି କେଉଁ ବ୍ୟାଙ୍କରେ ଖାତା ଖୋଲାଯାଇଛି ଗ୍ରୁପ ସଦସ୍ୟଙ୍କୁ ଜଣାଉନାହାଁନ୍ତି। ପଚାରିଲେ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରୁଛନ୍ତି।
ଏନେଇ ଜନଶୁଣାଣିରେ ଉପସ୍ଥିତ ସ୍ୱୟଂସହାୟକ ଗୋଷ୍ଠୀର ସଭାନେତ୍ରୀ କିଛି କହିବାକୁ ମନା କରିଦେଇଛନ୍ତି।
ସେପଟେ ତେଲିପାଟଣା ତାରିଣୀ ସ୍ୱୟଂସାହାୟିକା ଗୋଷ୍ଠୀ ସଦସ୍ୟା ମମତା ବେହେରା ଓ ଅନ୍ୟକିଛି ସଦସ୍ୟା ମଧ୍ୟ ଆଜି ସମାନ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ।
ଦିନକ ପୂର୍ବରୁ ନିଆଳୀ ବ୍ଲକ ନିକଟ ସପ୍ତମୀ ପଡିଆରେ ହଜାର ହଜାର ସଂଖ୍ୟାରେ ଏସ୍‌ଏଚ୍‌ଜି ମହିଳାଙ୍କୁ ଏକାଠି କରି ମହିଳା ସମାବେଶ କରାଯାଇଥିବାବେଳେ ଆଜି ମିଶନ ଶକ୍ତି ବିଭାଗରେ ଚାଲିଥିବା ଦ୍ୱର୍ନ୍ଦ୍ୱ ପଦାରେ ପଡ଼ିଛି। ଏସ୍‌ଏଚ୍‌ଜି ଭିତରେ ଟଙ୍କା ଅନିୟମିତତା ଚରମ ସୀମାରେ ପହଞ୍ଚି ଥିବା ଧରାପଡ଼ିଛି। ଏପରି ସ୍ଥଳେ ମହିଳାଙ୍କୁ ସ୍ୱାବଲମ୍ବି କରିବା ନିମନ୍ତେ ସରକାର ଦେଉଥିବା ଟଙ୍କାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ଠିଆ ହୋଇଛି।

Leave a Reply

Your email address will not be published. Required fields are marked *