Spread the love

ଜୈସାଲ୍‌ମେର୍‌: ଶୁକ୍ରବାର ଦିନ ଭାରତୀୟ ସେନା ସମରାଭ୍ୟାସ କରୁଥିବା ବ‌େଳେ ରାଜସ୍ଥାନର ଜୈସାଲ୍‌ମେର୍‌ ଅନ୍ତର୍ଗତ ପୋଖ୍‌ରାନ୍‌ ‘ଫାୟାରିଙ୍ଗ୍‌ ରେଞ୍ଜ୍‌’ରୁ ନିକ୍ଷେପ କରାଯାଇଥିବା ୩ଟି କ୍ଷେପଣାସ୍ତ୍ର ‘ମିସ୍‌ଫାୟାର୍‌’ ହୋଇଛି।

‘ମିସ୍‌ଫାୟାର୍‌’ ହୋଇଥିବା କ୍ଷେପଣାସ୍ତ୍ରଗୁଡ଼ିକର ଭଗ୍ନାଂଶ ସବୁ ପଡ଼ିଆର ବିଭିନ୍ନ ପ୍ରାନ୍ତରେ ପଡ଼ିଥିଲା। ସେଥିରୁ ଦୁଇଟି କ୍ଷେପଣାସ୍ତ୍ରର ଭଗ୍ନାଂଶ ମିଳିଥିବା ବ‌େଳେ ତୃତୀୟ କ୍ଷେପଣାସ୍ତ୍ରଟିକୁ ଠାବ କରିବା ଲାଗି ଉଦ୍ୟମ ଚାଲିଛି।

ପ୍ରାପ୍ତ ସୂଚନା ଅନୁସାରେ, ଆକାଶରେ ତିନୋଟିଯାକ କ୍ଷେପଣାସ୍ତ୍ର ବିସ୍ଫୋରିତ ହୋଇ ‘ଫାୟାରିଙ୍ଗ୍‌ ରେଞ୍ଜ୍‌ ଫିଲ୍‌ଡ୍‌’ବାହାରେ ପଡ଼ିଥିଲା। ଏଥିଯୋଗୁଁ କୌଣସି ଧନଜୀବନ ନଷ୍ଟ ହୋଇ ନ ଥିଲେ ବି ସେନା ଅଧିକାରୀମାନେ ତଦନ୍ତ ଆରମ୍ଭ  କରିଛନ୍ତି।

ପ୍ରତିରକ୍ଷା ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି, ଆଜି ‘ପିଏଫ୍‌ଏଫ୍‌ଆର୍‌’ରେ ବାର୍ଷିକ ‘ଫିଲ୍‌ଡ୍‌ ଫାୟାରିଙ୍ଗ୍‌’ କରୁଥିବା ବେଳେ ଗ‌ୋଟିଏ ୟୁନିଟ୍‌ର ‘ମିସାଇଲ୍‌ ମିସ୍‌ଫାୟାର୍‌’ ହୋଇଥିବା ମାମଲା ରିପୋର୍ଟ କରାଯାଇଛି। ଗତିଶୀଳ ଅବସ୍ଥାରେ ଉକ୍ତ କ୍ଷେପଣାସ୍ତ୍ରଗୁଡ଼ିକ ଆକାଶରେ ନିରାପଦରେ ବିସ୍ଫୋରିତ ହୋଇଥିଲେ ସୁଦ୍ଧା ସେଗୁଡ଼ିକର ଭଗାଂଶ ସବୁ ଆଖପାଖ ବିଲରେ ବିଛାଡ଼ି ହୋଇ ପଡ଼ିଥିଲା।

ପ୍ରାପ୍ତ ରିପୋର୍ଟ ଅନୁସାରେ, କ୍ଷେପଣାସ୍ତ୍ର ଭଗ୍ନାଂଶ ପତନ ଯୋଗୁଁ ବିଲରେ ଖାଲଖମା ସୃଷ୍ଟି ହୋଇଛି। ୩ଟି କ୍ଷେପଣାସ୍ତ୍ରରୁ ଗୋଟିଏ କ୍ଷେପଣାସ୍ତ୍ରର ଭଗ୍ନାଂଶ ‘ଫିଲ୍‌ଡ୍‌ ଫାୟାରିଙ୍ଗ୍‌ ରେଞ୍ଜ୍‌’ ବାହାରେ ଥିବା ଅଜାସର୍‌ ଗାଁ ନିକଟସ୍ଥ କଚ୍ଛାବ ସିଂହଙ୍କ ବିଲରୁ ଉଦ୍ଧାର କରାଯାଇଛି।

ସେହିପରି, ଦ୍ବିତୀୟ ‌କ୍ଷେପଣାସ୍ତ୍ରଟିର ଭଗ୍ନାଂଶ ସତ୍ୟାୟା ଗାଁଠାରୁ ଦୂରରେ ଥିବା ଗୋଟାଏ ମରୁଅଞ୍ଚଳରୁ ଉଦ୍ଧାର କରାଯାଇଛି। କିନ୍ତୁ, ତୃତୀୟ କ୍ଷେପଣାସ୍ତ୍ର ବିଷୟରେ ଏଯାବତ୍‌ କ‌ୌଣସି ଖବର ମିଳିନାହିଁ।

Leave a Reply

Your email address will not be published. Required fields are marked *