Spread the love

ବାରାଣସୀ: ‘ଏକ ବିଶ୍ବ ଟି.ବି. ଶିଖର’ ମାଧ୍ୟମରେ ଭାରତ ଆଉ ଏକ ‘ବିଶ୍ବ କଲ୍ୟାଣ’ ପ୍ରତିଶ୍ରୁତି ପୂରଣ କରୁଛି ବୋଲି ଆଜି ଉତ୍ତର ପ୍ରଦେଶର ବାରାଣସୀରେ ଅନୁଷ୍ଠିତ ‘ୱାନ୍‌ ୱାର୍ଲଡ୍‌ ଟିବି ସମିଟ୍’ରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ୟା ଯେତେ ଜଟିଳ ହେଲେ ମୁକାବିଲା ପାଇଁ ଉପାୟ ମିଳିଥାଏ ଏବଂ କାଶୀ ତା’ର ପ୍ରକୃଷ୍ଟ ପ୍ରମାଣ। ଗତ ଅଳ୍ପ କିଛି ବର୍ଷ ହେବ ଟି. ବି. ବିରୋଧୀ ସଂଗ୍ରାମରେ ଭାରତ ଏକାଧିକ କ୍ଷେତ୍ରରେ କାର୍ଯ୍ୟ କରିଛି। ସେ ସବୁ ହେଉଛି, ଜନସାଧାରଣଙ୍କ ଅଂଶ ଗ୍ରହଣ, ନୂତନ ଚିକିତ୍ସା, ପ୍ରଯୁକ୍ତି ଉପଯୋଗ ଏବଂ ପୋଷଣ ବୃଦ୍ଧି ଇତ୍ୟାଦି। ସେଥିରୁ ଜନସାଧାରଣଙ୍କ ଅଂଶ ଗ୍ରହଣ ଅଭିଯାନରେ ଭାରତ ଟି. ବି. ବିରୋଧୀ ସଂଗ୍ରାମରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି।
ଆନନ୍ଦର ବିଷୟ ଏ ଶିଖର ସମ୍ମିଳନୀ କାଶୀରେ ଆୟୋଜନ କରାଯାଇଛି। କିଛି ଦିନ ପୂର୍ବେ ଭାରତ ‘ଏକ ବିଶ୍ବ, ଏକ ସ୍ବାସ୍ଥ୍ୟ’ ଉପକ୍ରମ ପରିକଳ୍ପନାକୁ ଆଗେଇ ନେବାରେ ପ୍ରୟାସ କରିଥିଲା। ସମ୍ପ୍ରତି ‘ଏକ ବିଶ୍ବ ଟି.ବି. ଶିଖର’ ମାଧ୍ୟମରେ ଭାରତ ବୈଶ୍ବିକ ମଙ୍ଗଳ ପାଇଁ ଦେଇଥିବା ଆଉ ଏକ ପ୍ରତିଶ୍ରୁତି ପୂରଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୩୦ ହେଉଛି ଟି.ବି.ର ମୂଳୋତ୍ପାଟନ ନିମନ୍ତେ ବୈଶ୍ବିକ ଟାର୍ଗେଟ୍‌, କିନ୍ତୁ ୨୦୨୫ ସୁଦ୍ଧା ଟି.ବି. ହଟାଇବା ଲକ୍ଷ୍ୟରେ ସମ୍ପ୍ରତି ଭାରତ ଉଦ୍ୟମ ଚଳାଇଛି। ଟି.ବି.ର ଚାଲେଞ୍ଜ୍‌ ମୁକାବିଲା କରିବାରେ ‘ନି-କ୍ଷୟ ମିତ୍ର’ ଉପକ୍ରମ ଖୁବ୍‌ ସହାୟକ ହେଉଛି। ଏହି ଚାଲେଞ୍ଜ୍‌ ହେଉଛି ଟି. ବି. ରୋଗୀମାନଙ୍କର ପୌଷ୍ଟିକ ଆହାର। ଏଥିପ୍ରତି ଦୃଷ୍ଟି ଦିଆଯାଇ ଆମେ ୨୦୧୮ରେ ଟି. ବି. ରୋଗୀଙ୍କ ପାଇଁ ‘ଡାଇରେକ୍ଟ୍‌ ବେନିଫିଟ୍‌ ଟ୍ରାନ୍‌ସ୍‌ଫର୍‌’ ଘୋଷଣା କରିଥିଲୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *