Spread the love

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୨୪ ତାରିଖ, ଶୁକ୍ରବାର ଅପରାହ୍ନ ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ଗଜପତି, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ଓ ବଜ୍ରପାତ ସହ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏହି ୮ ଜିଲ୍ଲାକୁ ହଳଦିଆ ଚେତାବନୀ ବା ‘ୟେଲୋଓ୍ଵାର୍ଣ୍ଣିିଂ’ ଜାରି କରାଯାଇଛି।
ସେହିପରି ଏହି ସମୟ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ଅନ୍ୟପକ୍ଷରେ ରାଜ୍ୟରେ ୨୬ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ପରିଲକ୍ଷିତ ହେବ। ଏହି ସମୟ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ ହୋଇଛି। ଭୁବନେଶ୍ୱରରେ କାଲି (ବୁଧବାର) ସର୍ବାଧିକ ଦିନ ତାପମାତ୍ରାର ୩୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ରାଜ୍ୟରେ ଗତକାଲି ସବୁଠାରୁ ଅଧିକ ତାପମାତ୍ରା ମାଲକାନଗିରିରେ ୩୭ ଡିଗ୍ରି ରହିଥିଲା। ଆଗାମୀ ୫ ଦିନ ମଧ୍ୟରେ ମଧ୍ୟ ତାପମାତ୍ରା ବିଶେଷ ବଢିବନି ଏବଂ କିଛି ସ୍ଥାନରେ ବର୍ଷା ହୋଇପାରେ। ୨୬ରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡଘଡି ସହ ବର୍ଷା ଓ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହା ସହ କୁଆପଥର ବର୍ଷା ମଧ୍ୟ ହୋଇପାରେ।

Leave a Reply

Your email address will not be published. Required fields are marked *