Spread the love

ନୂଆଦିଲ୍ଲୀ : ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍‌ ନେତା ମନୀଷ ସିସୋଦିଆ ଏପ୍ରିଲ ୫ ଯାଏ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ତାଙ୍କ ନାଁରେ ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ଦୁଇ ସପ୍ତାହ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।
ଇଡି ସିସୋଦିଆଙ୍କୁ ରିମାଣ୍ତରେ ନେଇ ଜେରା କରୁଥିଲା। ଆଜି ଏହି ଅବଧି ଶେଷ ହୋଇଥିବାରୁ ତାଙ୍କୁ ସ୍ୱତନ୍ତ୍ର ଜଜ ଏମକେ ନାଗପାଲଙ୍କ ଆଗରେ ହାଜର କରିଥିଲା। ଏହାପରେ କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି।
ମଙ୍ଗଳବାର ସିସୋଦିଆ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ରୁଜୁ କରିଥିବା ମାମଲାରେ ଜାମିନ ଆବେଦନ କରିଥିଲେ। ଏହାର ଶୁଣାଣି ଶନିବାରକୁ ଘୁଞ୍ଚି ଯାଇଛି। ସିବିଆଇ ଫେବୃଆରୀ ୨୬ରେ ସିସୋଦିଆଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ରିମାଣ୍ଡରେ ନେଇ ଜେରା କରିଥିଲା।
ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ତିହାର ଜେଲକୁ ପଠାଇ ଦିଆଯାଇଥିଲା। ସେ ତିହାର ଜେଲରେ ଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲାରେ ତାଙ୍କୁ ମାର୍ଚ୍ଚ ୯ରେ ଗିରଫ କରିଥିଲା। ଗିରଫ କରିବା ପରେ ତାଙ୍କୁ ଇଡି ବି ରିମାଣ୍ଡରେ ଆଣି ଜେରା କରୁଥିଲା। ଆଜି ଏହି ଅବଧି ଶେଷ ହୋଇଛି।
ଅନ୍ୟପକ୍ଷରେ ସିସୋଦିଆ ଜାମିନ ପାଇଁ ଆବେଦନ କରିଥିବା ବେଳେ ଏହାକୁ ସିବିଆଇ ବିରୋଧ କରିଛି। ପତ୍ନୀ ଅସୁସ୍ଥ ଥିବାରୁ ସିସୋଦିଆ ଜାମିନରେ ଯିବାକୁ ଚାହୁଁଥିବା ତାଙ୍କ ଆବେଦନରେ କହିଛନ୍ତି।

Leave a Reply

Your email address will not be published. Required fields are marked *