Spread the love

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର କନ୍‌ସୁଲେଟ୍‌ ଜେନେରାଲ୍‌ ନାନାକରମଗୁଡ଼ାସ୍ଥିତ ନବନିର୍ମିତ ସୌଧରେ କାର୍ଯ୍ୟର ଶୁଭାରମ୍ଭ କରିଛି। ଦକ୍ଷିଣ-ପୂର୍ବ ଏସିଆର ଏହା ସର୍ବବୃହତ ଆମେରିକୀୟ କନସୁଲେଟ୍ କାର୍ଯ୍ୟାଳୟ ବୋଲି ସୂଚନା ରହିଛି।
ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର କନ୍‌ସୁଲ୍‌ ଜେନେରାଲ୍‌ ଜେନିଫର୍‌ ଲାର୍ସନ୍‌ କହିଛନ୍ତି, ‘‘ଆଜି ଯୁକ୍ତରାଷ୍ଟ୍ର ଆମେରିକା-ଭାରତ ବ୍ୟାବସାୟିକ ଭାଗୀଦାରିତାରେ ଉଲ୍ଲେଖନୀୟ ଅବସର ପାଳନ ହେଉଛି। ୩୪୦ ନିୟୁତ ଡଲାର୍‌ ବିନିମୟରେ ହାଇଦ୍ରାବାଦରେ ନିର୍ମିତ ଆମ ନୂତନ କନ୍‌ସୁଲେଟ୍‌ କାର୍ଯ୍ୟାଳୟ ହେଉଛି ଆମେରିକା-ଭାରତ ସମ୍ପର୍କ ଲାଗି ଏକ ଉତ୍କୃଷ୍ଟ ବିନିଯୋଗ। ଆଗାମୀ ବର୍ଷଗୁଡ଼ିକରେ ଯୁକ୍ତରାଷ୍ଟ୍ର ଆମେରିକା-ଭାରତ ସମ୍ପର୍କକୁ ସମ୍ପ୍ରସାରିତ କରିଚାଲିବା ପାଇଁ ଭିସା ଅଧିକାରୀଙ୍କ ସମେତ ଆମେ ଏଠାରେ ଆମ କର୍ମଚାରୀମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଯାଉଛୁ।’’
ସୂଚନାଯୋଗ୍ୟ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଆଦି ତିନି ରାଜ୍ୟରେ ‘ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍‌ ଜେନେରାଲ୍‌’ ଆମେରିକାର ପ୍ରତିନିଧିତ୍ବ କରେ। ଏହି ଅଞ୍ଚଳରେ ଉଚ୍ଚତର ଶିକ୍ଷା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ, ସାମରିକ ସହଯୋଗ, ସ୍ବାସ୍ଥ୍ୟ ଓ ପରିବେଶ ସମସ୍ୟା ଏବଂ ବ୍ୟାବସାୟିକ ସମ୍ବନ୍ଧ ସମେତ ଅନେକ କ୍ଷେତ୍ରର ମୁଖ୍ୟ ପ୍ରସଙ୍ଗରେ ଯୁକ୍ତରାଷ୍ଟ୍ର ଆମେରିକା-ଭାରତ ସମ୍ପର୍କ ଅନ୍ତର୍ଭୁକ୍ତ ରହିଛି।
୨୦୨୨ରେ ହାଇଦ୍ରାବାଦସ୍ଥିତ କନ୍‌ସୁଲେଟ୍‌ ଜେନେରାଲ୍‌ ୧୮,୦୦୦ ଶିକ୍ଷାର୍ଥୀ ଭିସା ଜାରି କରିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର କମ୍ପାନି ସବୁ ଏହି ଅଞ୍ଚଳର ପ୍ରଯୁକ୍ତି, ପ୍ରତିରକ୍ଷା, ଏରୋସ୍ପେସ୍‌ ଏବଂ ଔଷଧୀୟ କ୍ଷେତ୍ରରେ କୋଟି କୋଟି ଡଲାର୍‌ ବିନିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକା କନ୍‌ସୁଲେଟ୍‌ର ନୂତନ କାର୍ଯ୍ୟାଳୟର ଠିକଣା ହେଉଛି ଏସ୍‌ୱା. ନମ୍ବର ୧୧୫/୧, ଫିନାନ୍‌ସିଆଲ୍‌ ଡିଷ୍ଟ୍ରିକ୍ଟ୍‌, ନାନାକରମଗୁଡ଼ା, ହାଇଦ୍ରାବାଦ, ତେଲେଙ୍ଗାନା, ପିନ୍‌- ୫୦୦୦୩୨।
୩୪୦ ନିୟୁତ ଡଲାର୍‌ର ଏହି କାର୍ଯ୍ୟାଳୟ ନିର୍ମାଣ ପ୍ରକଳ୍ପରେ ୭୦ ନିୟୁତ ଡଲାର୍‌ ସ୍ଥାନୀୟ ନିବେଶ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟରେ ୧୦୦୦ ଆମେରିକୀୟ, ଭାରତୀୟ ଓ ବିଦେଶୀ ଶ୍ରମଜୀବୀ ନିୟୋଜିତ ହୋଇଥିଲେ।

Leave a Reply

Your email address will not be published. Required fields are marked *