Spread the love

ବେଙ୍ଗାଲୁରୁ: ମୃଦୁ ପାନୀୟ କଥା କହିଲେ ଲୋକମାନଙ୍କ ମନକୁ ଆସୁଥିବା ଲୋକପ୍ରିୟ ନାମ ହେଉଛି ବିସ୍‌ଲେରି। ଦେଶର କୋଣ ଅନୁକୋଣରେ ଏହା ପରିଚିତ। ଏତେ ପରିଚିତ ହୋଇଥିଲେ ମଧ୍ୟ ସେହି କଂପାନିକୁ ତାହାର ବର୍ତ୍ତମାନର ମାଲିକ ରମେଶ ଚୌହ୍ବାନ ସମ୍ଭାଳି ପାରୁନାହାନ୍ତି। ଜାଣିବାକୁ ମିଳିଛି ଯେ ଏହାକୁ ଏବେ ତାଙ୍କ ଝିଅ ଜୟନ୍ତୀ ଚୌହ୍ବାନ ସମ୍ଭାଳିବେ। ପୂର୍ବରୁ ସେ ଏହି ଦାୟିତ୍ବ ନେବାକୁ ରାଜି ହେଉ ନଥିଲେ। ୪୨ ବର୍ଷୀୟା ଜୟନ୍ତୀ ଏବେ ବିସ୍‌ଲେରିର ଅଧ୍ୟକ୍ଷା।
ବିସ୍‌ଲେରିକୁ ୧୦୦ କୋଟି ଡଲାରରୁ ଅଧିକ ଦାମ୍‌ରେ କିଣିବା ଲାଗି ଏହାର ସତ୍ତ୍ବାଧିକାରୀଙ୍କ ସହ ଟାଟା ଗ୍ରୁପ୍ ଆଲୋଚନା କରୁଥିଲା। ମାତ୍ର ମୁଲଚାଲ ଠିକ୍ ଦିଗରେ ଗତି ନକରିବାରୁ ଆଲୋଚନାକୁ ଅଟକାଇ ଦିଆଯିବା ପରେ ରମେଶ ଚୌହ୍ବାନଙ୍କ ଚିନ୍ତା ବଢ଼ିଥିଲା। ଟାଟା ଗ୍ରୁପ୍ ପ୍ରାୟ ୨ ବର୍ଷ ତଳୁ ବିସ୍‌ଲେରିକୁ କିଣିବାକୁ କଥା ହୋଇଥିଲା। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ କଥାରୁ ଓହରି ଯାଇଥିଲା ଟାଟା।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ରମେଶ ଚୌହ୍ବାନଙ୍କ ପାର୍ଲେ ଗ୍ରୁପ୍ ୧୯୬୯ରେ ଜଣେ ଇଟାଲୀୟ ଉଦ୍ୟୋଗୀଙ୍କଠାରୁ ବିସ୍‌ଲେରିକୁ କିଣିଥିଲା। ଭାରତର ‌ପାନୀୟ ଜଳ ବୋତଲ ବଜାରର ୬୦ ପ୍ରତିଶତ ବିସଲେରିର କବ୍‌ଜାରେ ରହିଛି। କଂପାନିକୁ ବିକ୍ରି କରିବା ଲାଗି ଟାଟା ସହ ଆଲୋଚନା ଜାରି ରହିଛି ବୋଲି ଗତବର୍ଷ ନଭେମ୍ବରରେ ବିସ୍‌ଲେରିର ଅଧ୍ୟକ୍ଷ ରମେଶ ଚୌହ୍ବାନ ଏକ ଟିଭି ସାକ୍ଷାତକାରରେ ସୂଚନା ଦେଇଥିଲେ।
ଜୟନ୍ତୀଙ୍କ ପିଲା ଦିନ ଦିଲ୍ଲୀ, ମୁମ୍ବାଇ ଓ ନ୍ୟୁୟର୍କ ସହରରେ ବିତିଛି। ସେ ତାଙ୍କ ହାଇସ୍କୁଲ୍‌ ପାଠ ସାରିବା ପରେ ପ୍ରଡକ୍ଟ ଡେଭ୍‌ଲପମେଣ୍ଟ୍‌ ପାଠ ପଢ଼ିବାକୁ ଲସ୍‌ଏଞ୍ଜେଲ୍‌ସରେ ଥିବା ଫେସନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଜାଇନ୍‌ ଆଣ୍ଡ୍‌ ମର୍ଚେଡାଇଜିଂରେ ନାମ ଲେଖାଇଥିଲେ। ତା’ପରେ ସେ ଲଣ୍ଡନ କଲେଜ ଅଫ୍‌ ଫେସନ୍‌ରେ ଫେସନ୍‌ ଷ୍ଟାଇଲିଂ ଓ ଫଟୋଗ୍ରାଫିରେ ପାଠ ପଢ଼ିଥିଲେ। ସେ ଅନେକ ପ୍ରମୁଖ ସଂସ୍ଥ‌ା‌ରେ ଫେସନ୍‌ ଇଣ୍ଟର୍ଣ୍ଣ ରୂପେ କାମ କରିଛନ୍ତି। ସେ ଲଣ୍ଡନ ବିଶ୍ ବିଦ୍ୟାଳୟର ସ୍କୁଲ୍ ଅଫ୍ ଓରିଏଣ୍ଟାଲ୍ ଆଣ୍ଡ୍‌ ଆଫ୍ରିକାନ୍‌ ଷ୍ଟଡିଜରେ ବି ଡିଗ୍ରି ହାସଲ କରିଛନ୍ତି। ମାତ୍ର ବିସଲେରିର ପରିଚାଳନା ଦାୟିତ୍ବ ସେ ଗ୍ରହଣ କରିବାକୁ ଅନିଚ୍ଚୁକ ଥିଲେ।

Leave a Reply

Your email address will not be published. Required fields are marked *