ନୂଆଦିଲ୍ଲୀ: ଭାରତର ଗଣତନ୍ତ୍ର ଏବଂ ତା’ର ସଙ୍ଗଠନଗୁଡ଼ିକର ସଫଳତା କିଛି ଲୋକଙ୍କୁ କଷ୍ଟ ଦେଉଥିବାରୁ ସେମାନେ ଏହାକୁ ସମାଲୋଚନା କରୁଛନ୍ତି ବୋଲି ଶନିବାର ଦିନ ‘ଇଣ୍ଡିଆ ଟୁଡେ କନ୍କ୍ଲେଭ୍’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦେଶ ଆତ୍ମବିଶ୍ବାସ ଓ ଇଚ୍ଛାଶକ୍ତିରେ ଭରପୂର ଥିବାବେଳେ ଏବଂ ବିଶ୍ବର ବୁଦ୍ଧିଜୀବୀ ମହଲ ଭାରତର ଭବିଷ୍ୟତ ପ୍ରତି ଆଶାବାଦୀ ଥିବା ବେଳେ ଦେଶକୁ ମନ୍ଦ ଭାବେ ଉପସ୍ଥାନ କରି ଦେଶର ନୈତିକତାକୁ ମଧ୍ୟ ଆଘାତ ଦିଆଯାଉଛି।
କାହାରି ନାମ ଉଲ୍ଲେଖ ନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କୌଣସି ମାଙ୍ଗଳିକ ଅନୁଷ୍ଠାନ ହେବା ବେଳେ ‘କଳା ଟୀକା’ ଘେନିବାର ବିଧି ଅଛି। ସେହିଭଳି, ଦେଶରେ ଏତେଗୁଡ଼ିଏ ମାଙ୍ଗଳିକ କାର୍ଯ୍ୟ ହେଉଥିବାରୁ କେତେକ ବ୍ୟକ୍ତି ‘କଳା ଟୀକା’ ଲଗାଇ ଦେବାର ଦାୟିତ୍ବ ଗ୍ରହଣ କରିଛନ୍ତି।
କିନ୍ତୁ, ପ୍ରଧାନମନ୍ତ୍ରୀଙ୍କର ଉପରୋକ୍ତ ଟିପ୍ପଣୀ ନିକଟରେ ଇଂଲଣ୍ଡ ଗସ୍ତରେ ଯାଇ ଭାରତର ଗଣତନ୍ତ୍ର ସମ୍ବନ୍ଧରେ ଦେଇଥିବା ବିବୃତି ପ୍ରତି ବିଦ୍ରୂପ ବୋଲି ଜଣାପଡୁଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗଣତନ୍ତ୍ର ଆଶାନୁରୂପ ଫଳ ଦେଇପାରେ ବୋଲି ଭାରତ ବିଶ୍ବକୁ ଦେଖାଇ ପାରିଛି। ଭାରତର ଗଣତନ୍ତ୍ର ଏବଂ ତା’ର ସଙ୍ଗଠନଗୁଡ଼ିକର ସଫଳତା କିଛି ଲୋକଙ୍କୁ ବାଧୁ ଥିବାରୁ ସେମାନେ ଏହାକୁ ସମାଲୋଚନା କରୁଛନ୍ତି। ଏଭଳି ସମାଲୋଚନା ସତ୍ତ୍ବେ ଲକ୍ଷ୍ୟ ହାସଲ ଦିଗରେ ଦେଶ ଅଗ୍ରସର ହେବ।
ବିରୋଧୀମାନଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବେ ସମ୍ବାଦପତ୍ରରେ ଦୁର୍ନୀତି ମୁଖ୍ୟ ଖବର ଭାବେ ପରିବେଶଣ କରାଯାଉଥିଲା। କିନ୍ତୁ, ଏବେ ଦୁର୍ନୀତିଗ୍ରସ୍ତମାନେ ସେମାନଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ସହିତ ସହଯୋଗ କରିବା ମୁଖ୍ୟ ଖବର ହେଉଛି।
ପ୍ରତ୍ୟେକ ସରକାର ନିଜ ନିଜ ଦକ୍ଷତା ଅନୁସାରେ କାର୍ଯ୍ୟ କରି ସେହି ଅନୁସାରେ ଫଳ ପାଉଥିଲେ। କିନ୍ତୁ, ତାଙ୍କ ସରକାର ନୂଆ ଫଳାଫଳ ଆଶା କରି ଭିନ୍ନ ବେଗ ଓ ମାତ୍ରାରେ କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।