Spread the love

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ଅଭିନେତା ଶିଜାନ ଖାନଙ୍କୁ ମାର୍ଚ୍ଚ ୪ରେ ଜାମିନ ମିଳିଥିଲା। ଶନିବାର ଦିନ ମହାରାଷ୍ଟ୍ର କୋର୍ଟ ଶିଜାନଙ୍କୁ ୧ଲକ୍ଷ ଟଙ୍କାର ମୁଚଲିକା ସହିତ ଜାମିନ ପ୍ରଦାନ କରିଥିଲେ। ଗତ ବର୍ଷ ଡିସେମ୍ବର ମାସରେ ତୁନିଶାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବା ଅଭିଯୋଗରେ ଶିଜାନ ଖାନଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ନ୍ୟାୟିକ ହେପାଜତରେ ଜେଲରେ ରଖାଯାଇଥିଲା। ଏବେ ଜେଲରୁ ବାହାରିବା ପରେ ଶିଜାନ ନିଜ ମନ କଥା କହିଛନ୍ତି।
ଇ ଟାଇମ୍ସକୁ ସାକ୍ଷାତକାର ଦେଇ ଶିଜାନ କହିଛନ୍ତି, ‘ମୁଁ ତାଙ୍କୁ ବହୁତ ମନେ ପକାଉଛି ଏବଂ ଯଦି ସେ ଜୀବିତ ଥାନ୍ତେ ତେବେ ସେ ମୋ ପାଇଁ ଲଢ଼ିଥାନ୍ତେ। ଆଜି ମୁଁ ସ୍ୱାଧୀନତାର ପ୍ରକୃତ ଅର୍ଥ ବୁଝିପାରୁଛି ଏବଂ ମୁଁ ଏହା ଅନୁଭବ କରୁଛି। ଯେତେବେଳେ ମୁଁ ମୋ ମା’ ଏବଂ ଭଉଣୀମାନଙ୍କୁ ଦେଖିଲି, ମୋ ଆଖିରେ ଲୁହ ରହିନଥିଲା। ବର୍ତ୍ତମାନ ସେମାନଙ୍କ ନିକଟକୁ ଫେରି ଆସି ବହୁତ ଖୁସି ଅଛି। ଶେଷରେ ମୁଁ ମୋ ପରିବାର ସହିତ ଅଛି। ଏହା ଏକ ବହୁତ ଭଲ ଅନୁଭବ। ବର୍ତ୍ତମାନ କିଛି ଦିନ ମୁଁ ମୋ ମା’ଙ୍କ କୋଳରେ ମୁଣ୍ଡ ରଖି ଶୋଇବାକୁ ଚାହେଁ। ମୁଁ ତାଙ୍କର ହାତ ରନ୍ଧା ଖାଦ୍ୟ ଖାଇବାକୁ ଏବଂ ମୋ ଭଉଣୀଙ୍କ ସହିତ ସମୟ ବିତାଇବାକୁ ଚାହେଁ।
ଉଲ୍ଲେଖଯୋଗ୍ୟ, ତୁନିଶା ଓ ଶିଜାନ ‘ଅଲି ବାବା: ଦାସ୍ତାନ-ଏ-କାବୁଲ’ରେ କାମ କରୁଥିଲେ। ଏହି ଧାରାବାହିକରେ କାମ କରିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କରେ ଆରମ୍ଭ ହୋଇଥିବା ବେଳେ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଥିଲେ। ଏହି କାରଣରୁ ତୁନିଶା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣା ଦିନ ସୁଟିଂ ସେଟକୁ ଯିବା ପରେ ତୁନିଶା ନିଜ ମେକଅପ ରୁମକୁ ଯାଇ ଆତ୍ମହତ୍ୟା କରିଥିଲେ। ମାତ୍ର ୨୦ବର୍ଷ ବୟସରେ ତୁନିଶାଙ୍କ ଏଭଳି ନିଷ୍ପତ୍ତି ନେବାଟା ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ଐତିହାସିକ ସୋ’ ‘ଭାରତ କା ବୀର ପୁତ୍ର: ମହାରଣା ପ୍ରତାପ’ରୁ ତୁନିଶା ଶର୍ମା ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହା ବ୍ୟତୀତ ସେ ‘ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ’, ‘ଗବର ପୁଛୱାଲା’, ‘ଶେର-ଏ-ପଞ୍ଜାବ: ମହାରାଜ ରଣଜିତ୍ ସିଂ’, ‘ଇଣ୍ଟରନେଟ୍ ୱାଲା ଲଭ୍’ ଏବଂ ‘ଇସ୍କ ସୁଭାନ୍ ଆଲ୍ଲାହା’ ଭଳି ସୋ’ରେ କାମ କରିଥିଲେ।

ତୁନିଶା ଶର୍ମା କେବଳ ଟିଭି ସୋ’ରେ ନୁହେଁ ଫିଲ୍ମରେ ମଧ୍ୟ ତାଙ୍କର ଅଭିନୟର ଦକ୍ଷତା ପ୍ରଦର୍ଶନ କରିଥିଲେ। ସେ ‘ଫିତୁର’, ‘ବାର ବାର ଦେଖୋ’, ‘କାହାନି ୨: ଦୁର୍ଗା ରାନୀ ସିଂ’ ଏବଂ ‘ଦବଙ୍ଗ ୩’ ଭଳି ସିନେମାରେ କାମ କରିଥିଲେ। ତୁନିଶା ସଲମାନ ଖାନ ଏବଂ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ଦବଂଗ-୩ ରେ ମଧ୍ୟ ଅଭିନୟ କରିଥିଲେ।

Leave a Reply

Your email address will not be published. Required fields are marked *