Spread the love

ନୂଆଦିଲ୍ଲୀ : ଉପଯୁକ୍ତ ତାଲିମ ନେବା ପାଇଁ ଫିନଲ୍ୟାଣ୍ଡ ଯିବେ ଦିଲ୍ଲୀର ସରକାରୀ ଶିକ୍ଷକ। ସେମାନଙ୍କୁ ଉନ୍ନତଧରରଣ ତାଲିମ ଦେବା ପାଇଁ ସରକାର ଫିନଲ୍ୟାଣ୍ଡ ପଠାଇବାକୁ ଚାହୁଁଥିଲେ। ଏଥିପାଇଁ ଗୋଟିଏ ପ୍ରସ୍ତାବ ଦିଲ୍ଲୀ ସରକାର ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ନିକଟକୁ ପଠା ଯାଇଥିଲା। ଆଜି ଉପ ରାଜ୍ୟପାଳ ଭିକେ ସକ୍ସେନା ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି।
ତେଣୁ ଖୁବଶୀଘ୍ର ଦିଲ୍ଲୀର ଶିକ୍ଷକମାନେ ତାଲିମ ପାଇଁ ଫିନଲ୍ୟାଣ୍ଡ ଗସ୍ତ କରିବେ। ସେହିପରି ପିଲାଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବାକୁ ଦିଲ୍ଲୀ ସରକାର କରିଥିବା ଯୋଜନା ଶେଷରେ ସଫଳ ହେବ ବୋଲି କୁହାଯାଉଛି।
ଉପ ରାଜ୍ୟପାଳ ଏହି ପ୍ରସ୍ତାବ ଉପରେ ମୋହର ମାରିବା ସହ ଟ୍ରେନିଂ ପାଇଁ ଯିବାକୁ ଥିବା ପ୍ରାଥମିକ ଇନଚାର୍ଜଙ୍କ ସଂଖ୍ୟା ୫୨ରୁ ବଢ଼ାଇ ୮୭ କରି ଦେଇଛନ୍ତି। ଉପ ରାଜ୍ୟପାଳଙ୍କ ମତରେ ଦିଲ୍ଲୀରେ ୨୯ଟି ପ୍ରଶାସିନିକ ଜୋନ ରହିଛି। ପ୍ରତି ଜୋନରୁ ୩ ଜଣ ଲେଖାଏ ପ୍ରାଥମିକ ଇନଚାର୍ଜ ଟ୍ରେନିଂ ପାଇଁ ଫିନଲ୍ୟାଣ୍ଡ ଯାଇପାରିବେ।
ଦିଲ୍ଲୀର ସରକାରୀ ସ୍କୁଲର ଶିକ୍ଷକମାନଙ୍କୁ ଟ୍ରେନିଂ ପାଇଁ ଫିନଲ୍ୟାଣ୍ଡ ପଠାଇବା ପ୍ରସ୍ତାବକୁ ନେଇ ଆପ୍‌ ସରକାର ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ଦୀର୍ଘଦିନରୁ ତିକ୍ତତା ଲାଗି ରହିଥିଲା। କେଜ୍ରିୱାଲ ସରକାର ଯେତେବେଳେ ପ୍ରଥମଥର ତାଲିମ ପାଇଁ ଶିକ୍ଷକଙ୍କୁ ଫିନଲ୍ୟାଣ୍ଡ ପଠାଇବାକୁ ପ୍ରସ୍ତାବ ଦେଇଥିଲେ ସେତେବେଳେ ଏହାକୁ ଉପ ରାଜ୍ୟପାଳ ଗ୍ରହଣ କରି ନଥିଲେ। ବିଦେଶକୁ ପଠାଇବା ପରିବର୍ତ୍ତେ ଦେଶ ଭିତରେ ଶିକ୍ଷକଙ୍କୁ ତାଲିମ ଦେବାର ବ୍ୟବସ୍ଥା କରିବାକୁ ଉପ ରାଜ୍ୟପାଳଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।
ତେବେ ଦିଲ୍ଲୀ ସରକାର ପୁଣିଥରେ ଜାନୁଆରୀ ୨୦ରେ ଏ ସଂକ୍ରାନ୍ତ ଫାଇଲ ଉପ ରାଜ୍ୟପାଳଙ୍କ ପାଖକୁ ପଠାଇଥିଲେ। ଏହି ଫାଇଲ ମିଳିବା ପରେ ଉପ ରାଜ୍ୟପାଳ ବେଶ କିଛି ଦିନ ଏହାକୁ ନିଜ ପାଖରେ ପକାଇ ରଖିଥିଲେ। କିନ୍ତୁ ଆଜି ଶେଷରେ ସେ ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି।

Leave a Reply

Your email address will not be published. Required fields are marked *