Spread the love

ନୂଆଦିଲ୍ଲୀ : ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଥିବାରୁ ବଞ୍ଚିବା ଲାଗି ସାଧାରଣ ଲୋକମାନେ ସଂଘର୍ଷ କରୁଛନ୍ତି। ତିନି ବେଳା ଖାଇବା ଯୋଗାଡ଼ କରିବା ଆଉ ସମ୍ଭବ ହେଉନାହିଁ। ସେଥିପାଇଁ ବହୁ ଲୋକ ଓଳିଏ ରୋଷେଇ କରି ତାହାକୁ ତିନି ବେଳା ଖାଉଛନ୍ତି। ବଡ଼ ପରିବାରଗୁଡ଼ିକ କିଛି ପିଲାଙ୍କ ପାଠପଢ଼ା ବନ୍ଦ କରିଦେଲେଣି। ସେମାନଙ୍କ ସ୍କୁଲ ଖର୍ଚ୍ଚ ବହନ କରିବା ସମ୍ଭବପର ହେଉନି। ଅର୍ଥ ସଞ୍ଚୟ କରିବା ଲାଗି କମ୍ ଖାଇବା ଏବଂ କମ୍ ଯାତାୟାତ କରିବା ଉପରେ ଲୋକମାନେ ମନୋନିବେଶ କରିଛନ୍ତି।ପାକିସ୍ତାନର ଜଣେ ମହିଳା କହିଛନ୍ତି ଯେ ମାସକୁ ଯେତିକି ରୋଜଗାର ହେଉଛି ଖର୍ଚ୍ଚ ତା’ଠାରୁ ଦୁଇଗୁଣା ଅଧିକ ହେଲାଣି। ଅଟା ଆଉ ମିଳୁନି କହିଲେ ଭୁଲ ହେବନି। ଅଟା ବସ୍ତା ପାଇବା ଲାଗି ପିଲାମାନଙ୍କୁ ଦିନତମାମ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ଅଟା ଏତେ ମହଙ୍ଗା ହୋଇଛି ଯେ ତାହାକୁ କିଣିବା କଷ୍ଟକର ହୋଇପଡ଼ିଛି। ସେ କହିଛନ୍ତି ଯେ ଆମେ ପୂର୍ବରୁ ତିନି ବେଳା ରୋଷେଇ କରି ଖାଉଥିଲୁ। ଏବେ ଗୋଟିଏ ବେଳା ରୋଷେଇ କରି ତାହାକୁ ଭାଗ ଭାଗ କରି ତିନି ବେଳା ଖାଉଛୁ।

ପା‌କିସ୍ତାନରେ ମୁଦ୍ରାସ୍ଫୀତି ହାର ୩୧%ରୁ ଅଧିକ ହୋଇଛି ଯାହା ଗତ ୫୮ ବର୍ଷରେ ସର୍ବାଧିକ। ପେଟ୍ରୋଲ ଓ ଡିଜେଲ୍ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ପେଟ୍ରୋଲ୍‌ ଦାମ୍ ୨୬୭ ପାକିସ୍ତାନୀ ଟଙ୍କାରେ ପହଞ୍ଚିଥିବାରୁ ଲୋକମାନେ ନିଜ ଗାଡ଼ି ବ୍ୟବହାର କରିବା ପୂର୍ବରୁ ଦୁଇ ଥର ଭାବୁଛନ୍ତି। ବସ୍‌ ଭଡ଼ା ମଧ୍ୟ ଦୁଇ ଗୁଣା ବଢ଼ିଯାଇଛି। ତେଣୁ ଲୋକମାନେ ଦୂର ସ୍ଥାନକୁ ଯାତ୍ରା ମଧ୍ୟ କରିପାରୁନାହାନ୍ତି। ପାକିସ୍ତାନରେ ଲୋକମାନଙ୍କ ପାଇଁ ଜୀବନ ବଞ୍ଚିବା କଷ୍ଟକର ହୋଇପଡ଼ିଛି। ଗୋଟିଏ ଜିନିଷ କିଣିଲେ ଆଉ ଗୋଟିଏ କିଣିବା ପାଇଁ ପାଖରେ ଟଙ୍କା ରହୁନି। ଗତ ତିନି ବର୍ଷ ଭିତରେ ରୋଜଗାର ବଢ଼ୁନଥିବାରୁ ଅଧିକ ପିଲା ଥିବା ପରିବାରଗୁଡ଼ିକ ସେମାନଙ୍କ କିଛି ପିଲାଙ୍କ ସ୍କୁଲ ଯିବା ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି।

ଇତିହାସର ସବୁଠୁ ବଡ଼ ସଙ୍କଟକୁ ସାମ୍ନା କରୁଥିବା ପାକିସ୍ତାନ ନିଜକୁ ଉଦ୍ଧାର କରିବା ଲାଗି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ସାମ୍ନାରେ ହାତ ପତାଇଛି। ମାତ୍ର ପ୍ରତିଥର ଆଇଏମ୍ଏଫ୍‌ ଏଭଳି କିଛି କଠୋର ସର୍ତ୍ତ ରଖୁଛି ଯାହାକୁ ମାନିବା ପାକିସ୍ତାନ ସରକାରଙ୍କ ଲାଗି ସହଜ ହେଉନାହିଁ। ଇତିମଧ୍ୟରେ ବହୁ ସର୍ତ୍ତକୁ ଏହା ମାନିସାରିଲାଣି। ତଥାପି ଆଇଏମ୍ଏଫ୍‌ ପାଣ୍ଠି ଦେଉନି।

Leave a Reply

Your email address will not be published. Required fields are marked *