Spread the love

ବ୍ରିଜ୍‌ବେନ୍‌: ଆଜି ଅଷ୍ଟ୍ରେଲିଆର ବ୍ରିଜ୍‌ବେନ୍‌ସ୍ଥିତ ହିନ୍ଦୁ ମନ୍ଦିର ପ୍ରାଚୀରରେ ସ୍ଲୋଗାନ୍‌ ଆଦି ଲେଖି ଖଲିସ୍ତାନୀ ସମର୍ଥକମାନେ ବିରୂପ କରିଥିବା କଥା ‘ଦି ଅଷ୍ଟ୍ରେଲିଆ ଟୁ’ଡେ’ ରିପୋର୍ଟ କରିଛି।

ଦୁଇ ମାସ ମଧ୍ୟରେ ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିରକୁ ବିରୂପ କରାଯିବାରେ ଏହା ହେଉଛି ଚତୁର୍ଥ ଘଟଣା। ଆଜି ସକାଳେ ଲୋକେ ପୂଜାର୍ଚ୍ଚନା କରିବା ଲାଗି ମନ୍ଦିରକୁ ଆସିଥିବା ବେଳେ ପ୍ରାଚୀର ବିରୂପ ହୋଇଥିବା ଦେଖିଥିଲେ।

ବ୍ରିଜ୍‌ବେନ୍‌ର ଦକ୍ଷିଣ ପ୍ରାନ୍ତ ଅନ୍ତର୍ଗତ ବର୍କବ୍ୟାଙ୍କ୍‌ରେ ଅବସ୍ଥିତ ‘ଶ୍ରୀଲକ୍ଷ୍ମୀନାରାୟଣ ମନ୍ଦିର’କୁ ଖଲିସ୍ତାନୀ ସମର୍ଥକମାନେ ବିରୂପ କରିଥିବା ଅଭିଯୋଗ ହୋଇଛି।

ମନ୍ଦିର ନିକଟରେ ବାସ କରୁଥିବା ରମେଶ କୁମାର ନାମରେ ଜଣେ ବାସିନ୍ଦା ‘ଦି ଅଷ୍ଟ୍ରେଲିଆ ଟୁ’ଡେ’କୁ  କହିଛନ୍ତି, ମେଲ୍‌ବର୍ଣ୍ଣସ୍ଥିତ ହିନ୍ଦୁ ମନ୍ଦିରରେ ଯାହା ହୋଇଥିଲା ମୁଁ ସେ ବିଷୟରେ ଅବଗତ ଅଛି। କିନ୍ତୁ, ନିଜେ ସେଭଳି ଘୃଣ୍ୟ କର୍ଯ୍ୟର ସମ୍ମୁଖୀନ ହେବା ଖୁବ୍‌ ବ୍ୟଥାଦାୟକ।

ମନ୍ଦିରର ଅଧ୍ୟକ୍ଷ ସତିନ୍ଦର ଶୁକ୍ଳା ମଧ୍ୟ ‘ଦି ଅଷ୍ଟ୍ରେଲିଆ ଟୁ’ଡେ’କୁ କହିଛନ୍ତି, ଆଜି ସକାଳେ ମନ୍ଦିର ପୂଜକ ଓ ଭକ୍ତମାନେ ମତେ ଫୋନ୍‌ କରି ଆମ ମନ୍ଦିର ପାଚେରିରେ ଏଣୁତେଣୁ ଲେଖା ହୋଇଥିବା କଥା ଜଣାଇଥିଲେ।

ପୁଲିସ କର୍ତ୍ତୃପକ୍ଷଙ୍କ ସହିତ ମନ୍ଦିର ପରିଚାଳନା କମିଟିର ବୈଠକ ପରେ ସେ ବିସ୍ତୃତ ବିବରଣୀ ଦେବେ‌ ବୋଲି ଶୁକ୍ଳା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ବ୍ରିଜ୍‌ବେନ୍‌ସ୍ଥିତ ଗାୟତ୍ରୀ ମନ୍ଦିରକୁ ମଧ୍ୟ ପାକିସ୍ତାନର ଲାହୋର୍‌ରେ ଥିବା ଖଲିସ୍ତାନୀ ଆତଙ୍କବାଦୀମାନେ ଫୋନ୍‌ କରି ଧମକ ଦେଇଥିଲେ।

ହିନ୍ଦୁ ମାନବ ଅଧିକାରର ନିର୍ଦେଶକ ସାରା ଏଲ୍‌ ଗେଟ୍‌ସ୍‌ କହିଛନ୍ତି ଯେ, ଅଷ୍ଟ୍ରେଲୀୟ ହିନ୍ଦୁମାନଙ୍କୁ ଭୟଭୀତ କରିବା ଲାଗି ‘ଶିଖ୍‌ ଫର୍‌ ଜଷ୍ଟିସ୍‌’ର ଏହା ହେଉଛି ସଦ୍ୟତମ ତିକ୍ତତା ସୃଷ୍ଟିକାରୀ ଯୋଜନା।

Leave a Reply

Your email address will not be published. Required fields are marked *