Spread the love

ନୂଆଦିଲ୍ଲୀ : ଦିଲ୍ଲୀର ତଥା କଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ମନୀଷ ସିସୋଦିଆ ଆଜି ଜାମିନ ଆବେଦନ କରିଛନ୍ତି। ସୋମବାର ଠାରୁ ସିବିଆଇ ତାଙ୍କୁ ରିମାଣ୍ଡ ନେଇଥିବା ବେଳେ ଆସନ୍ତାକାଲି ଏହା ଶେଷ ହେଉଛି। ଆସନ୍ତାକାଲି ଦିନ ୨ଟାରେ ସିବିଆଇ ତାଙ୍କୁ କୋର୍ଟରେ ହାଜର କରିବ। ତେବେ ରିମାଣ୍ଡ ଅବଧି ସରିବା ପୂର୍ବରୁ ହିଁ ସେ ଜାମିନ ପାଇଁ ଆବେଦନ କରିଛନ୍ତି।
ଦିଲ୍ଲୀର ପୂର୍ବତନ ଶିକ୍ଷା ମନ୍ତ୍ରୀ ସିସୋଦିଆଙ୍କୁ ଯଦି ସିବିଆଇ ଆଉ ରିମାଣ୍ଡରେ ଆସନ୍ତାକାଲି ନେବ ନାହିଁ, ତା’ହେଲେ ସେ କୋର୍ଟଙ୍କୁ ତାଙ୍କ ଜାମିନ ଆବେଦନର ଶୁଣାଣି ପାଇଁ ଅନୁରୋଧ କରିବେ ବୋଲି ଜଣାପଡ଼ିଛି। ଯଦି ସିବିଆଇ ଆଉ କୌଣସି ରିମାଣ୍ଡର ଆବଶ୍ୟକ ନାହିଁ ବୋଲି କୁହେ, ତା’ହେଲେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ହେବ।
ଲାଗୁ ହୋଇ ପରେ ଉଚ୍ଛେଦ ହୋଇସାରିଥିବା ଦିଲ୍ଲୀ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଉପ ରାଜ୍ୟପାଳ ଭିକେ ସକ୍ସେନା ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ବ୍ୟତୀତ ଇଡି ମଧ୍ୟ ଘଟଣାର ତଦନ୍ତ କରୁଛି।
ସିବିଆଇ ଘଟଣାର ତଦନ୍ତ କରି ରବିବାର ସିସୋଦିଆଙ୍କୁ ଗିରଫ କରିଥିଲା। ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ସର୍ବୋଚ୍ଚ ଅଦାଲତ ତାଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ। କିନ୍ତୁ ସେ ଟ୍ରାଏଲ କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।
ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ଦିଲ୍ଲୀର ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥ ଭଳି ୧୮ଟି ବିଭାଗର ଦାୟିତ୍ୱରେ ଥିଲେ।

Leave a Reply

Your email address will not be published. Required fields are marked *