Spread the love

ଢେଙ୍କାନାଳ : ସୁନା କିଣିବା ପାଇଁ ବ୍ୟାଙ୍କରୁ ଲକ୍ଷେ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ହେଲେ ବାଟରେ ଗାଡ଼ି ରଖି ଚାରା କିଣୁ କିଣୁ ଡିକି ଭାଙ୍ଗି ଲୁଟେରା ଝାମ୍ଫି ନେଲେ ଲକ୍ଷେ ଟଙ୍କା। ଫଳରେ ଏବେ ମୁଣ୍ଡରେ ହାତଦେଇଛନ୍ତି ଲୁଟର ଶିକାର ହୋଇଥିବା ଅବସରପ୍ରାପ୍ତ ଶିକ୍ଷକ। ଏପରି ଏକ ଘଟଣା ଗତକାଲି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ଅନ୍ତର୍ଗତ କଳ୍ପନା କ୍ଲବ ନିକଟରେ ଗତକାଲି ଘଟିଛି। ଲୁଟ୍‌ର ଶିକାର ହୋଇଛନ୍ତି ମଠକରଗୋଳା ଗାଁର ସନ୍ତୋଷ କୁମାର ଜେନା ।
ସନ୍ତୋଷ କାମାକ୍ଷାନଗର ଷ୍ଟେଟ ବ୍ୟାଙ୍କ ଶାଖାରୁ ଗତକାଲି ଚେକ୍ ମାଧ୍ୟମରେ ଲକ୍ଷେ ଟଙ୍କା ଉଠାଇଥିଲେ। ଏହାପରେ ତାକୁ ଏକ ବ୍ୟାଗରେ ରଖି ବାଇକ୍‌ ଡିକିରେ ରଖିଥିଲେ । ଉକ୍ତ ବ୍ୟାଗରେ ଲକ୍ଷେ ଟଙ୍କା ସହ ବ୍ୟାଙ୍କ ପାସବୁକ ,କିଛି ଚେକ୍, ଆରଡି ଡିପୋଜିଟର ଡକ୍ୟୁମେଣ୍ଟ ମଧ୍ୟ ରହିଥିଲା ।
କଳ୍ପନା କ୍ଲବ ନିକଟରେ ଅବସରପ୍ରାପ୍ତ ଶିକ୍ଷକଜଣକ ଗାଡ଼ି ରଖି ଚାରା ମଞ୍ଜି କିଣୁଥିଲେ। ଏହି ସମୟରେ ଏକ ବାଇକ୍‌ରେ ଦୁଇ ଜଣ ଲୁଟେରା ଆସି ଡିକି ଭାଙ୍ଗି ଟଙ୍କା ଓ ଦରକାରୀ କାଗଜପତ୍ରକୁ ଲୁଟିନେଇଥିଲେ ।
ଖବର ପାଇ କାମାକ୍ଷାନଗର ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି । ତେବେ ଲୁଟେରାଙ୍କ ପତ୍ତା ପାଇପାରିନି।

Leave a Reply

Your email address will not be published. Required fields are marked *