ଲକ୍ଷ୍ନୌ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ଟିପ୍ପଣୀ ଦେବା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି ମିଳିଛି । ଉତ୍ତରପ୍ରଦେଶର ସୁଲତାନପୁରସ୍ଥିତ ଏମପି-ଏମଏଲଏ କୋର୍ଟ ତାଙ୍କୁ ମାନହାନି ମାମଲାରେ ଦୋଷମୁକ୍ତ କରିଛନ୍ତି । ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଶୁଭମ ବର୍ମାଙ୍କ ଅଦାଲତ ସୋମବାର ରାୟ ଶୁଣାଇ କହିଛନ୍ତି ଯେ, ରାହୁଲ ଗାନ୍ଧିଙ୍କ ଟିପ୍ପଣୀ ମାନହାନିକାରକ ନଥିଲା । ରାୟ ଶୁଣାଣି ସମୟରେ ରାହୁଲ ନିଜେ କୋର୍ଟରେ ଉପସ୍ଥିତ ଥିଲେ ।
୨୦୧୮ ମେ’ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ବେଙ୍ଗାଲୁରୁଠାରେ ରାହୁଲ ଗାନ୍ଧି ବିଜେପିର ତତ୍କାଳୀନ ଜାତୀୟ ସଭାପତି ଅମିତ ଶାହଙ୍କୁ ନେଇ ଏକ ଟିପ୍ପଣୀ ଦେଇଥିଲେ । ଏହି ଟିପ୍ପଣୀକୁ ନେଇ ସ୍ଥାନୀୟ ବିଜେପି ନେତା ବିଜୟ ମିଶ୍ର ୪ ଅଗଷ୍ଟ ୨୦୧୮ରେ ସୁଲତାନପୁର କୋର୍ଟରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଆପରାଧିକ ମାନହାନି ଅଭିଯୋଗ ଦାଖଲ କରିଥିଲେ ।
ଏହି ମାମଲାରେ ୨୭ ନଭେମ୍ବର ୨୦୨୩ରେ ସୁଲତାନପୁର ଏମପି-ଏମଏଲଏ କୋର୍ଟ ରାହୁଲ ଗାନ୍ଧିଙ୍କୁ ହାଜର ହେବା ପାଇଁ ସମନ ଜାରି କରିଥିଲେ । ୨୦ ଫେବୃଆରୀ ୨୦୨୪ରେ କୋର୍ଟରେ ହାଜର ହେବା ପରେ ତାଙ୍କୁ ଜାମିନ ମିଳିଥିଲା । ଅକ୍ଟୋବର ୨୦୨୬ରେ ଉଭୟ ପକ୍ଷର ଶେଷ ଯୁକ୍ତି ଶୁଣିବା ପରେ କୋର୍ଟ ୨୬ ଅକ୍ଟୋବରରେ ରାୟ ଶୁଣାଇବାକୁ ତାରିଖ ଧାର୍ଯ୍ୟ କରିଥିଲେ । ଏହି ମାମଲାରେ ଆଜି କୋର୍ଟଙ୍କ ରାୟ ପରେ କଂଗ୍ରେସ କର୍ମୀମାନେ ଅଦାଲତ ବାହାରେ ବାଣ ଫୁଟାଇ ଓ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଥିଲେ ।