Spread the love

ଭୁବନେଶ୍ୱର: ଜେନ୍ -ଜିଙ୍କୁ ନେଇ ବିଜେଡିର ନୂଆ ରଣନୀତି!। ଯୁବପିଢ଼ିଙ୍କ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ବିଜୁ ଜନତା ଦଳର ନୂଆ ପ୍ରୟାସ । ବିଜୁ ଛାତ୍ର ଜନତା ଦଳ ସମର୍ଥନରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦକୁ ନିର୍ବାଚିତ ହୋଇଥିବା ଛାତ୍ର ପ୍ରତିନିଧିଙ୍କ ସହ ବିଜେଡି ନେତ୍ରୀ ସୁଜାତା ରାଉତଙ୍କ ଆଲୋଚନାରୁ ସ୍ପଷ୍ଟ ଆଭାସ ମିଳିଛି । ୨୦୨୪ ନିର୍ବାଚନ ପରେ ବିଜେଡି ପାଇଁ ତୃଣମୂଳ ସଙ୍ଗଠନକୁ ସୁଦୃଢ଼ କରିବା ଏକ ବଡ଼ ଆହ୍ୱାନ ହୋଇଛି । ଏଭଳି ସମୟରେ ଛାତ୍ର ଓ ଯୁବ ନେତୃତ୍ୱ ସହ ସିଧାସଳଖ ସମ୍ପର୍କ ଯୋଡିବାକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି । ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ ବିଜେଡିରେ ଯୋଗ ଦେବା ପରଠାରୁ ଯୁବପିଢ଼ିଙ୍କ ଗୁରୁତ୍ୱ ଉପରେ ଜୋର ଦେଇଆସୁଛନ୍ତି । ଜେନ୍ -ଜି ହିଁ ରାଜ୍ୟ ଓ ଦେଶର ଭବିଷ୍ୟତ ବୋଲି ସେ ମତ ରଖିଛନ୍ତି ।

ଓଡ଼ିଶା ରାଜନୀତିରେ ଛାତ୍ର ସଙ୍ଗଠନଗୁଡ଼ିକ ନୂଆ ନେତୃତ୍ୱ ସୃଷ୍ଟିର ଏକ ପ୍ରମୁଖ ମାଧ୍ୟମ ହୋଇଆସିଛି । ମହାବିଦ୍ୟାଳୟସ୍ତରରେ ସକ୍ରିୟ ଥିବା ଛାତ୍ରନେତାମାନେ ପରବର୍ତ୍ତୀ ସମୟରେ ଜିଲ୍ଲା ଓ ରାଜ୍ୟ ରାଜନୀତିରେ ଭୂମିକା ନେବାର ସୁଯୋଗ ପାଇଥାନ୍ତି । ଏହି ପରିପ୍ରେକ୍ଷୀରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ସହ ସୁଜାତାଙ୍କ ଆଲୋଚନା ନୂଆ ନେତୃତ୍ୱ ଚିହ୍ନଟ, ସେମାନଙ୍କ ସମସ୍ୟା ବୁଝିବା ଓ ଦଳୀୟ ସମନ୍ୱୟ ବଢ଼ାଇବାରେ ସହାୟକ ହୋଇପାରେ ବୋଲି କୁହାଯାଉଛି ।

ନବ ନିର୍ବାଚିତ ଛାତ୍ର ନେତାଙ୍କ ସହ ବିଜେଡି ନେତ୍ରୀ ସୁଜାତା ରାଉତଙ୍କ ଆଲୋଚନା ଦଳକୁ ବେଶ ସହାୟକ ହେବ ବୋଲି କୁହାଯାଉଛି । ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ସହ ଆଲୋଚନା ଦ୍ୱାରା ବିଜେଡି କଲେଜ ସ୍ତରରେ ସକ୍ରିୟ ଯୁବ ନେତୃତ୍ୱ ସହ ସମ୍ପର୍କ ସ୍ଥାପନ କରିପାରିବ । ଏହା ତୃଣମୂଳସ୍ତରରେ ସଙ୍ଗଠନର ସ୍ଥିତି ବୁଝିବା ଓ ଛାତ୍ରମାନଙ୍କ ସମସ୍ୟା ଜାଣିବାର ସୁଯୋଗ ସୃଷ୍ଟି କରିବ । ଦ୍ବିତୀୟରେ ବିସିଜେଡିର ମନୋବଳ ଓ ଗୁରୁତ୍ୱ ବୃଦ୍ଧି । ଦଳର ବରିଷ୍ଠ ନେତୃତ୍ୱ ଛାତ୍ର ପ୍ରତିନିଧିମାନଙ୍କୁ ସମୟ ଦେବା ଦ୍ୱାରା ଛାତ୍ର ସଙ୍ଗଠନ ମଧ୍ୟରେ ଉତ୍ସାହ ବଢ଼ିପାରେ । ଏହା ବିସିଜେଡିକୁ ଅଧିକ ସକ୍ରିୟ କରିବା ସହ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହାର ସାଙ୍ଗଠନିକ ଉପସ୍ଥିତି ବଢ଼ାଇବାରେ ସହାୟକ ହୋଇପାରେ। ତୃତୀୟ ହେଉଛି ଭବିଷ୍ୟତ ପାଇଁ ନୂଆ ନେତୃତ୍ୱ ସୃଷ୍ଟି ।

ଛାତ୍ର ରାଜନୀତିରେ ସକ୍ରିୟ ଯୁବପିଢିଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗାମୀ ଦିନରେ ବଡ଼ ସାଙ୍ଗଠନିକ ଦାୟିତ୍ୱ ପାଇଁ ପ୍ରସ୍ତୁତ କରିବାର ସୁଯୋଗ ରହିଛି । ସେହିପରି ଜେନ୍ -ଜିଙ୍କୁ ରାଜ୍ୟର ଭବିଷ୍ୟତ ବୋଲି କହିଆସୁଥିବା ସୁଜାତାଙ୍କ ଏହି ଆଲୋଚନା ଦଳର ଯୁବମୁଖୀ ଆଭିମୁଖ୍ୟକୁ ସାମ୍ନାକୁ ଆଣିଛି । କେବଳ ଯୁବପିଢ଼ିଙ୍କ ବିଷୟରେ କହିବା ନୁହେଁ, ବରଂ ସେମାନଙ୍କ ମତାମତ ଶୁଣିବାର ପ୍ରୟାସ ଭାବେ ଏହାକୁ ଦେଖାଯାଇପାରେ । ପଞ୍ଚମ ହେଉଛି ମୂଳ ଦଳ ଓ ଛାତ୍ର ସଙ୍ଗଠନ ମଧ୍ୟରେ ସମନ୍ୱୟ । ବରିଷ୍ଠ ବିଜେଡି ନେତା ଓ ଛାତ୍ର ପ୍ରତିନିଧିମାନଙ୍କ ମଧ୍ୟରେ ଏଭଳି ଆଲୋଚନା ଦୁଇ ସ୍ତରର ନେତୃତ୍ୱ ମଧ୍ୟରେ ଯୋଗାଯୋଗ ବଢ଼ାଇପାରେ । ଏହା ସାଙ୍ଗଠନିକ କାର୍ଯ୍ୟକ୍ରମରେ ସମନ୍ୱୟ ଆଣିବା ସହ ଜିଲ୍ଲା ଓ କଲେଜସ୍ତରର ନେତୃତ୍ୱକୁ ମୁଖ୍ୟ ଦଳ ସହ ଯୋଡ଼ି ରଖିବାରେ ସହାୟକ ହୋଇପାରେ । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଛାତ୍ର ଓ ଯୁବ ସଙ୍ଗଠନକୁ ସକ୍ରିୟ କରିବା ଉପରେ ଗୁରୁତ୍ବ ଦେଇଛି ବିଜେଡି। ଛାତ୍ର ନେତାଙ୍କ ସହ ବିଜେଡି ନେତ୍ରୀ ସୁଜାତା ରାଉତଙ୍କ ଆଲୋଚନା ରାଜନୈତିକ ଦୃଷ୍ଟିରୁ ଅନେକ ଗୁରୁତ୍ବ ବହନ କରୁଛି ।

Leave a Reply

Your email address will not be published. Required fields are marked *