ସୁନ୍ଦରଗଡ଼: ସ୍କ୍ରବ୍ ଟାଇଫସ୍ ରେ ୬୩ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ । ମୃତକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଉଜ୍ଜ୍ୱଳପୁର ଗାଁର ହରିହର ପଟ୍ଟା । ବିଲରେ କାମ କରିବାକୁ ଯାଇଥିବା ସମୟରେ ସ୍କ୍ରବ୍ ଟାଇଫସ୍ ବାହକ କୀଟ କାମୁଡ଼ିବା ପରେ ସେ ଏହି ରୋଗରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି । ଅନ୍ୟପଟେ ଏ ସମ୍ପର୍କରେ ତାଙ୍କ ପାଖକୁ କୌଣସି ସୂଚନା ଆସିନଥିବା କହିଛନ୍ତି ସିଡିଏମ୍ ଓ ସୁରେଶ ଚନ୍ଦ୍ର ମହାନ୍ତି । ତେବେ ସ୍କ୍ରବ୍ ଟାଇଫସ୍ କୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଜାଗ ଥିବା ସେ କହିଛନ୍ତି । ବିଲରେ କାମ କରି ଘରକୁ ଫେରିବା ପରେ ହରିହର ନିଜ ଦେହ ଭଲ ଲାଗୁନଥିବା ପରିବାର ଲୋକଙ୍କୁ ଜଣାଇଥିଲେ ।
ଏହାପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ସର୍ଗିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଉନ୍ନତ ଚିକିତ୍ସା ପାଇଁ ସୁନ୍ଦରଗଡ଼ ପଠାଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହରିହରଙ୍କ ପରୀକ୍ଷା ରିପୋର୍ଟରେ ମଧ୍ୟ ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଥିବା ଉଲ୍ଲେଖ ରହିଛି। ଅନ୍ୟପଟେ, ସ୍କ୍ରବ୍ ଟାଇଫସ୍ କୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଜାଗ ଥିବା ସିଡିଏମ୍ ଓ କହିଛନ୍ତି ।