Spread the love

କଟକ : ଗିରଫ ହେବେ କି ବିଦ୍ୟାଭାରତୀ ?  ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ହାଇକୋର୍ଟରୁ ଝଟକା  ।  ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ ।  ସମ୍ଭାବ୍ୟ ଗିରଫଦାରୀରୁ ସୁରକ୍ଷା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ବିଦ୍ୟାଭାରତୀ ।  ତେବେ ଆବେଦନର ଶୁଣାଣି କରି ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଛନ୍ତି ହାଇକୋର୍ଟ ।  ଏଥିସହ ମାମଲାର କେସ୍ ଡାଏରୀ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

ହାଇକୋର୍ଟଙ୍କ ଛୁଟି ଖୋଲିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।  ପୂର୍ବରୁ ବିଦ୍ୟାଭାରତୀଙ୍କୁ ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସ୍ ଡିଜେଏମ୍ କୋର୍ଟରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।  ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟ ଯାଇଥିଲେ ।  ତେବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିବା ସହ ଆଗୁଆ ଜାମିନ ପାଇଁ ଆବେଦନ କରିବାର ସୁଯୋଗ ଦେଇଥିଲେ।

ଏହାପରେ ନିମ୍ନ ଅଦାଲତରେ ହାଜର ହେବା ପାଇଁ ଅଧିକ ସମୟ ଲୋଡ଼ିଥିଲେ ବିଦ୍ୟାଭାରତୀ ।  ତାଙ୍କ ଆବେଦନକୁ ଗ୍ରହଣ କରି ଅକ୍ଟୋବର ୩୦ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସ୍ ଡିଜେଏମ୍ କୋର୍ଟରେ ହାଜର ହେବାକୁ ହାଇକୋର୍ଟ ଅନୁମତି ଦେଇଥିଲେ ।  ଏବେ ଆଗୁଆ ଜାମିନ ଆବେଦନ ଉପରେ ଅନ୍ତରୀଣ ସୁରକ୍ଷା ନ ମିଳିବା ଏବଂ କେସ୍ ଡାଏରୀ ତଲବ ହେବା ପରେ ପରବର୍ତ୍ତୀ ଶୁଣାଣି ଉପରେ ନଜର ରହିଛି ।  ଏବେ ଦେଖିବାର କଥା ଅକ୍ଟୋବର ୩୦ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସ୍ ଡିଜେଏମ୍ କୋର୍ଟରେ ହାଜର ହେଉଛନ୍ତି କି ବିଦ୍ୟାଭାରତୀ  ।

Leave a Reply

Your email address will not be published. Required fields are marked *