କଟକ : ଦୁଇଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ବିଶୁ ଓରଫ ବିଶ୍ୱନାଥ ସାହୁ (୫୫)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କଟକ ଆଡ୍ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକସୋ ଅଦାଲତ। ଦୋଷୀକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।
ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ପାଇଁ ନିର୍ଦ୍ଦେଶ ରହିଛି। ଗତ ଫେବୃଆରୀ ୨୧ ତାରିଖରେ କଟକ ସହର ମଧ୍ୟରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା । ନାବାଳିକା ଦୁଇଜଣଙ୍କ ବୟସ ୭ ବର୍ଷ ଓ ୧୦ ବର୍ଷ । ଦୁହେଁ ସହରର ଏକ ପ୍ରତିଷ୍ଠିତ ସ୍କୁଲରେ ପ୍ରଥମ ଓ ତୃତୀୟ ଶ୍ରେଣୀରେ ପଢୁଛନ୍ତି । ସେମାନେ ଏକ ଟ୍ରାଭେଲର ଗାଡିରେ ନିୟମିତ ସହରର ସେହି ପ୍ରତିଷ୍ଠିତ ସ୍କୁଲକୁ ଯିବାଆସିବା କରୁଥିଲେ। ଘଟଣା ଦିନ ଗାଡିର ଡ୍ରାଇଭର ଦୁଇ ନାବାଳିକାଙ୍କୁ ଗାଡି ଭିତରକୁ ନେଇ ଦୁର୍ବ୍ୟବହାର କରିଥିଲା । ବାହାରୁ କିଏ କାଳେ ଦେଖିଦେଵ ସେଥିପାଇଁ ଗାଡିର କାଚରେ ଖବରକାଗଜ ଲଗାଇ ଦେଇଥିଲା। ପରେ ଡ୍ରାଇଭର ବିଶୁ ଉଭୟଙ୍କୁ ଚକଲେଟ, ବିସ୍କୁଟ, ଜେଲି ଦେଇ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ କହିଥିଲା। ନାବାଳିକା ଦୁଇଜଣଙ୍କ ମା ମାନେ ଏ ସମ୍ପର୍କରେ ଜାଣିବା ପରେ ଥାନାରେ ଅଭିଯୋଗ କରିବାରୁ ଫେବୃଆରୀ ୨୪ ତାରିଖରେ ମାମଲା ରୁଜୁ ହୋଇଥିଲା।
ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪(୨)(m), ୬୫(୨) ସହ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ଚାର୍ଜସିଟ୍ ଦାଖଲ ହୋଇଥିଲା। ଏପ୍ରିଲ ୨୩ ତାରିଖରେ ଅଦାଲତରେ ଚାର୍ଜସିଟ ଦାଖଲ ହୋଇଥିଲା। ମେ ୧୩ ତାରିଖରେ ଅଭିଯୁକ୍ତ ବିରୋଧରେ ଚାର୍ଜଫ୍ରେମ ହେବା ସହିତ ଜୁନ ୧୧ ତାରିଖରେ ସାକ୍ଷ୍ୟଗ୍ରହଣ ଆରମ୍ଭ ହୋଇଥିଲା। ମାମଲାରେ ଅଦାଲତ ୨୧ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ।
ଦୁଇ ନାବାଳିକାଙ୍କ ବୟାନ, ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଦିଆଯାଇଥିବା ବୟାନ ଓ ଅନ୍ୟ ପ୍ରମୁଖ ସାକ୍ଷୀଙ୍କ ସାକ୍ଷ୍ୟ ଅଭିଯୋଗ ପକ୍ଷର ମାମଲାକୁ ସମର୍ଥନ କରୁଥିବା କୋର୍ଟ ଦର୍ଶାଇଛନ୍ତି। ଗତ ୫ ତାରିଖରେ ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଥିଲା। ଆଜି ରାୟ ପ୍ରକାଶ କରି ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ନିର୍ଦ୍ଧାରିତ ସର୍ବନିମ୍ନ ଦଣ୍ଡରୁ କମ୍ ଦଣ୍ଡ ଦେବାର ସୁଯୋଗ ନଥିବାରୁ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଓଡ଼ିଶା ପୀଡ଼ିତା କ୍ଷତିପୂରଣ ଯୋଜନା ଅନୁଯାୟୀ ୭ ବର୍ଷୀୟା ପିଡିତାକୁ ୫ ଲକ୍ଷ ଟଙ୍କା ଓ ୧୦ ବର୍ଷୀୟା ପିଡିତାକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ କୋର୍ଟ କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ସୁପାରିସ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକୁଟର ଶୁଭ ନାରାୟଣ ଦାସ ମାମଲା ପରିଚାଳନା କରୁଥିଲେ।