ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ସାନ୍ତଳା ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ ଆଲାନ ବେହେରା । ଜଣେ ଆବେଦନକାରୀଙ୍କ କୃଷି ଜମିକୁ ଘରବାରି କିସମ ଜମିରେ ପରିବର୍ତ୍ତନ କରିବା ସଂକ୍ରାନ୍ତ ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ସେ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ତାଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ ।
ଆବେଦନକାରୀ ଜଣକ ଗତ ସେପ୍ଟେମ୍ବର ୭ ତାରିଖରେ ଏଥିପାଇଁ ଅନଲାଇନରେ ଆବେଦନ କରିଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଭିଯୁକ୍ତ ରାଜସ୍ୱ ନିରୀକ୍ଷକ ଫାଇଲ୍ ପ୍ରକ୍ରିୟା ଆଗକୁ ବଢ଼ାଉ ନଥିଲେ। ସେ ପ୍ରଥମେ ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଆବେଦନକାରୀ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାରୁ ଲାଞ୍ଚ ପରିମାଣ ୩ ହଜାର ଟଙ୍କାକୁ କମାଇ ଦେଇଥିଲେ ।
ଏନେଇ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଯୋଜନା ମୁତାବକ ଆଜି ଲାଞ୍ଚ ଟଙ୍କା ନେବା ସମୟରେ ଆଲାନ ବେହେରାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ସମସ୍ତ ୩ ହଜାର ଟଙ୍କା ଜବତ କରାଯାଇଛି।ଏହି ଘଟଣା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ। ଏ ସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।