ମହାକାଳପଡ଼ା: ମହାକାଳପଡ଼ାସ୍ଥିତ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ମଧ୍ୟାହ୍ନରେ କଲେଜ ପରିସରରେ ଶକ୍ତି ପ୍ରଦର୍ଶନ ଓ ପ୍ରଚାରକୁ ନେଇ ଉଭୟ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ପ୍ରାର୍ଥୀ ଓ ସମର୍ଥକମାନେ ପରସ୍ପରର ମୁହାଁମୁହିଁ ହୋଇଥିଲେ।
ଉଭୟ ଗୋଷ୍ଠୀର ଛାତ୍ରମାନେ ପରସ୍ପର ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି କରିଥିଲେ। ପରିସ୍ଥିତି କ୍ରମଶଃ ଉଗ୍ର ହୋଇପଡ଼ିବାରୁ କଲେଜ ଅଧ୍ୟକ୍ଷ ରଞ୍ଜିତ କୁମାର ଦାସ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ସୂଚନାଥାଉକି, ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ କଲେଜ ପରିସରରେ ଉଭୟ ଛାତ୍ର ସଙ୍ଗଠନ ମଧ୍ୟରେ କ୍ୟାମ୍ପସ କବ୍ଜା ଏବଂ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ନେଇ କଥା କଟାକଟି ଆରମ୍ଭ ହୋଇ ଉଗ୍ର ରୂପ ନେଇଥିଲା। ଖବର ପାଇ ମହାକାଳପଡ଼ା ଏବଂ ମାର୍ଶାଘାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଛାତ୍ର ଗୋଷ୍ଠୀଙ୍କୁ ବୁଝାସୁଝା କରିଲାପରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା ଜଣାପଡ଼ିଛି।