ନୟାଗଡ଼ : ଆଇନଶୃଙ୍ଖଳାର ଆଳ ଦେଖାଇ ନୟାଗଡ଼ ଜିଲ୍ଲାପାଳ ଜିଲ୍ଲାର ୪ଟି କଲେଜରେ ନିର୍ବାଚନ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କଲେଜ ଗୁଡିକ ହେଲା ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ନୟାଗଡ, ମଡେଲ୍ ଡିଗ୍ରୀ କଲେଜ, ଲାଠିପଡା, ପଠାଣିସାମନ୍ତ କଲେଜ, ଖଣ୍ଡପଡା ଏବଂ ବାଲୁଙ୍କେଶ୍ଵର କଲେଜ, ଭାପୁର । ନୟାଗଡ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ନିର୍ବାଚନ ବାତିଲ ଏବଂ ସାଇନ ଡାଏ ଘୋଷଣା ପରେ କଲେଜ ଆଗରେ ଉତ୍ତେଜନା ଦେଖାଦେଇଛି । ନିଷ୍ପତ୍ତିକୁ ନେଇ ଛାତ୍ରୀମାନେ ଅସନ୍ତୋଷ ଜାହିର କରିଛନ୍ତି ।
ବିଧାୟକ ଅରୁଣ ସାହୁ ଘଟଣାସ୍ଥଳରେ ପହଞ୍ଚି ସରକାର ଏବଂ ପ୍ରଶାସନ ହାରିଯିବା ଭୟରେ ଏଭଳି ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି । ମହିଳା ମହାବିଦ୍ୟାଳୟରେ ପୋଲିସ ଉପସ୍ଥିତିରେ କିଭଳି ଏବିଭିପିର ଗୁଣ୍ଡାମାନେ ଗେଟ୍ ଭାଙ୍ଗି କଲେଜ ପରିସରରେ ପଶିଲେ ତାକୁ ନେଇ ଅରୁଣ ସାହୁ ପ୍ରଶ୍ନ କରିଛନ୍ତି । ଏପରିକି ପୋଲିସ ଅଧିକାରୀ ମାନଙ୍କୁ ଧମକାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଆଗାମୀ ଦିନରେ ଏଥିପାଇଁ ବିଜେଡି ଦୁର୍ବାର ଆନ୍ଦୋଳନ କରିବ ବୋଲି ଅରୁଣ କହିଛନ୍ତି ।
ଭଦ୍ରକ ଜିଲ୍ଲାର ଦୁଇ ମହାବିଦ୍ୟାଳୟରେ ମଧ୍ୟ ନିର୍ବାଚନ ବାତିଲ କରାଯାଇଛି । ଏନେଇ ମହାବିଦ୍ୟାଳୟ ପରିସରରେ ଲାଗିଛି ନୋଟିସ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଖବର ଅନୁଯାୟୀ, ଦୀର୍ଘ ୮ ବର୍ଷ ପରେ କଲେଜ ନିର୍ବାଚନ ହେବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ଯାହାପରେ କଲେଜ କ୍ୟାମ୍ପସ ଉଠୁଛି ପଡୁଛି । ପ୍ରାର୍ଥୀମାନେ ଜୋରଦାର କଲେଣି ପ୍ରଚାର । ହେଲେ ଏସବୁ ଭିତରେ ଭଦ୍ରକରୁ ଆସିଛି ବଡ଼ ଖବର । ଭଦ୍ରକରେ ଦୁଇଟି ମହାବିଦ୍ୟାଳୟର ନିର୍ବାଚନ ବାତିଲ କରାଯାଇଛି । ସମ୍ବେଦନଶୀନ ଘଟଣା ପାଇଁ ନିର୍ବାଚନ ବାତିଲ କରିଛନ୍ତି କର୍ତ୍ତୃପକ୍ଷ । ତେବେ ନିର୍ବାଚନ ବାତିଲ ହୋଇଥିବା ମହାବିଦ୍ୟାଳୟ ଗୋଟିଏ ହେଲା ଭଦ୍ରକ ମହାବିଦ୍ୟାଳୟ । ଅନ୍ୟଟି ହେଉଛି ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟ । ଦୁଇଟି ମହାବିଦ୍ୟାଳୟର ନିର୍ବାଚନକୁ ବାତିଲ କରାଯାଇଛି ।