ଭୁବନେଶ୍ବର: କଳିଙ୍ଗ ଷ୍ଟୁଡିଓରେ ପୁଣି ଶୁଭିବ ଲାଇଟ- କ୍ୟାମେରା- ଆକ୍ସନ। ହୋଇପାରିବ ବିଶ୍ବସ୍ତରୀୟ ଫିଲ୍ମ ନିର୍ମାଣ । କାରଣ ପ୍ରାୟ ୧୬୫ କୋଟି ଟଙ୍କା ବ୍ୟୟରେ ନୂଆ ରୂପ ପାଇଛି କଳିଙ୍ଗ ଷ୍ଟୁଡିଓ । ସୋମବାର ନବୀକୃତ କଳିଙ୍ଗ ଷ୍ଟୁଡିଓର କଂପ୍ଲେକ୍ସକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଖଣ୍ଡଗିରି- ଭରତପୁର ଅଞ୍ଚଳରେ ପ୍ରାୟ ୨୬ ଏକର ପରିମିତ ଜମି ଉପରେ ଷ୍ଟୁଡିଓରେ ନବନିର୍ମାଣ ସମ୍ପନ୍ନ ହୋଇଛି। ନବୀକୃତ କଳିଙ୍ଗ ଷ୍ଟୁଡିଓରେ ସିନେମା ନିର୍ମାଣକୁ ସହଜ ଓ ସୁବିଧା କରିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଶୁଟିଂ ପାଇଁ କ୍ଲୋନ, ଟ୍ରଲି ଏବଂ ହାଇ- ଏଣ୍ଡ୍ କ୍ୟାମେରା ଭଳି ଅତ୍ୟାଧୁନିକ ଉପକରଣ ଏବଂ ଟେକ୍ନୋଲୋଜି ସୁବିଧା ରହିଛି । ଫଳରେ ଫିଲ୍ମ ନିର୍ମାତା ଅତ୍ୟାଧୁନିକ ସୁବିଧା ସହ ପ୍ରଯୋଜକ ଖର୍ଚ୍ଚ କମିବ ଓ ସୁବିଧା ମିଳିପାରିବ ଏବଂ ସେମାନଙ୍କୁ ବାହାରକୁ ଯିବାକୁ ପଡ଼ିବନି ବୋଲି କହିଛନ୍ତି କଳାକାର ।
ଆହୁରି ମଧ୍ୟ କଳିଙ୍ଗ ଷ୍ଟୁଡିଓ ପରିସରରେ ସ୍ନୋ ୱାର୍ଲ୍ଡ, ଭୂତ ବଙ୍ଗଳା, ଆମାଜନ ଜଙ୍ଗଲ, ବିମାନବନ୍ଦର, ରେଳ ଷ୍ଟେସନ ଓ ଗାଁ ପରିବେଶ ଭଳି ବିଭିନ୍ନ ଥିମ୍ର ସେଟ୍ ପ୍ରସ୍ତୁତ କରାଯାଇଛି । ଅଲଟ୍ରା ମଡର୍ଣ୍ଣ ଷ୍ଟୁଡିଓ, ଏବଂ ଫିଲ୍ମ ଟେକ୍ ଜୋନ୍ କରାଯାଇଛି । ଭର୍ଚ୍ଚୁଆଲ୍ ପ୍ରଡକସନ ସହ, ଏଆଇ-କେନେରେଟେଡ୍ ଟେକ୍ନୋଲୋଜିର ବ୍ୟବହାର କରାଯିବ। ଫଳରେ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଶୁଟିଂର ସୁବିଧା ବଢ଼ିବା ସହ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଏହା ଏକ ନୂଆ ଆକର୍ଷଣର କେନ୍ଦ୍ର ପାଲଟିବ ବୋଲି ଆଶା କରାଯାଉଛି। ତେବେ ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଏକାମ୍ର ବିଧାୟକ ବାବୁ ସିଂ, ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାଶ ନାଏକ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ଉପସ୍ଥିତ ରହିଥିଲେ।