ମୟୂରଭଞ୍ଜ : ଅଭିନବ ଉପାୟରେ ତେଲ ପରିବହନ ନାଁରେ ଚାଲିଥିଲା ଗୋ ଚାଲାଣ । ତେଲ ଟ୍ୟାଙ୍କର ଭିତରେ ବେଆଇନ ଭାବେ ଗୋ-ଚାଲାଣ । ମୟୂରଭଞ୍ଜ ବାଙ୍ଗିରିପୋଷିରୁ ଗାଡ଼ି ଜବତ ହୋଇଥିବା ବେଳେ ଡ୍ରାଇଭର ଓ ହେଲପର ଅଟକ । ବିଶୋଇ ପଟୁ କଳାବାଡ଼ିଆ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ୟାଙ୍କରକୁ ନେଇ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା ।
ସ୍ଥାନୀୟ ଲୋକେ ଗାଡ଼ିଟିକୁ ପିଛା କରିବା ସହ ବାଙ୍ଗିରିପୋଷି ଥାନାକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ତୁରନ୍ତ ପୁନାସିଆ ରେଲୱେ ଗୋଳା ପୋଲ ନିକଟରେ ଟ୍ୟାଙ୍କରକୁ ଅଟକାଇ ଜବତ କରିଥିଲା । ଟ୍ୟାଙ୍କର ଭିତରେ ୨୦ରୁ ଅଧିକ ଗୋରୁ ଗାଈ ଥିଲେ । ଘଟଣାରେ ଟ୍ୟାଙ୍କରର ଡ୍ରାଇଭର ଓ ହେଲପରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଗୋରୁଗୁଡ଼ିକୁ କେଉଁଠାରୁ କେଉଁଠିକୁ ନିଆଯାଉଥିଲା । ଚାଲାଣ ପଛରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି । ସେନେଇ ପୋଲିସ ତଦନ୍ତ ଚଳାଇଛି।