Spread the love

କୋଣାର୍କ : ପୁରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପରେ ଆଜି ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି ନାଗାଲାଣ୍ଡର ରାଜ୍ୟପାଳ ନନ୍ଦକିଶୋର ଯାଦବ । ମନ୍ଦିରର ଅପୂର୍ବ କାରୁକାର୍ଯ୍ୟ, ସ୍ଥାପତ୍ୟ କଳା ଏବଂ ନିଖୁଣ ଭାସ୍କର୍ଯ୍ୟ ଦେଖି ରାଜ୍ୟପାଳ ଭାବବିହ୍ୱଳ ହୋଇପଡ଼ିଥିଲେ । ରାଜ୍ୟପାଳଙ୍କ ଏହି ହାଇ-ପ୍ରୋଫାଇଲ୍ ଗସ୍ତକୁ ଦୃଷ୍ଟିରେ ରଖି କୋଣାର୍କରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି କରାଯାଇଥିଲା । ଜିଲ୍ଲା ପୋଲିସ ପକ୍ଷରୁ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ସୁରକ୍ଷା ଦାୟିତ୍ୱରେ ନିମାପଡ଼ା SDPO, ଗୋପ BDO, କୋଣାର୍କ ଥାନା ଅଧିକାରୀ, ଦୁଇ ଜଣ ASI ଏବଂ ୧୦ ଜଣ କନେଷ୍ଟବଳ ଉପସ୍ଥିତ ଥିଲେ ।

ମନ୍ଦିର ପରିସରରେ ପହଞ୍ଚିବା ପରେ ସ୍ଥାନୀୟ ସରକାରୀ ଗାଇଡ୍ ରାଜ୍ୟପାଳଙ୍କୁ କୋଣାର୍କର ଗୌରବମୟ ଇତିହାସ, ସୂର୍ଯ୍ୟ ମନ୍ଦିରର ଗାରିମା ଏବଂ ଏହାର କାରୁକାର୍ଯ୍ୟ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । ସୂର୍ଯ୍ୟ ମନ୍ଦିରର ପଥରରେ ଖୋଦିତ କଳାକୃତିକୁ ନିକଟରୁ ଦେଖି ରାଜ୍ୟପାଳ ଅତ୍ୟନ୍ତ ଅଭିଭୂତ ହୋଇଥିଲେ । ବିଶ୍ୱ ଐତିହ୍ୟ କୋଣାର୍କର ଶୋଭାରାଜିକୁ ପ୍ରାୟ ୪୫ ମିନିଟ୍ ଧରି ବୁଲି ଦେଖିବା ପରେ ରାଜ୍ୟପାଳ ନନ୍ଦକିଶୋର ଯାଦବ ପୁନର୍ବାର ପୁରୀ ଅଭିମୁଖେ ଫେରିଯାଇଛନ୍ତି ।ଏହି ପରିଦର୍ଶନ ସମୟରେ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ଆଡମିନିଷ୍ଟ୍ରେସନ୍ ପକ୍ଷରୁ ରାଜ୍ୟପାଳଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *