ଭୁବନେଶ୍ୱର : ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ସ୍ଥିତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରଧାନ ସଚିବ ଭାସ୍କର ଶର୍ମା ଏବଂ ପିସିସିଏଫ୍ ପି.କେ. ଝା ଆଜି ନନ୍ଦନକାନନ ପରିଦର୍ଶନ କରି ହ୍ୟାଣ୍ଡ ରିୟରିଂ ସେଣ୍ଟରରେ ରଖାଯାଇଥିବା ଉଦ୍ଧାରକୃତ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ଓ ସାମଗ୍ରିକ ସ୍ଥିତିର ସମୀକ୍ଷା କରିଛନ୍ତି ।
ମୁଖ୍ୟ ଶାସନ ସଚିବ ଓରାଙ୍ଗଉଟାନଙ୍କ ଚିକିତ୍ସା, ଯତ୍ନ ଓ ଦେଖଭାଳ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ନିରନ୍ତର ନିରୀକ୍ଷଣ, ସର୍ବୋତ୍ତମ ପଶୁ ଚିକିତ୍ସା ସେବା ଏବଂ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନ ଉଦ୍ଧାର ହୋଇଥିବା ୫ଟି କିଶୋର ଓରାଙ୍ଗଉଟାନଙ୍କ ଉପରେ ବିଶେଷଜ୍ଞ ଦଳ ନିୟମିତ ନଜର ରଖିଛନ୍ତି । ସେମାନଙ୍କ ପାଇଁ ଯୋଗାଇ ଦିଆଯାଇଥିବା ବ୍ୟବହାରିକ ଏନ୍ରିଚମେଣ୍ଟ କାର୍ଯ୍ୟକ୍ରମ ସକାରାତ୍ମକ ଫଳ ଦେଉଥିବା ବେଳେ ସେମାନଙ୍କ କାର୍ଯ୍ୟକଳାପ ଓ ସକ୍ରିୟତାରେ ଉନ୍ନତି ଦେଖାଯାଉଛି । ବିଶେଷକରି M3 ଓ F2 ନାମକ ଓରାଙ୍ଗଉଟାନଙ୍କ ସ୍ଥିତିରେ ମଧ୍ୟ ସୁଧାର ଆସିଛି ।