ଭଞ୍ଜନଗର: କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ। ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି ନିର୍ମାଣଧୀନ ଗାର୍ଡୱାଲ୍। ଘାଟିର ଅନ୍ଧାରକୋଟି ସମ୍ମୁଖରେ ନିର୍ମାଣ ଚାଲିଥିବା ଗାର୍ଡୱାଲ୍ ବର୍ଷା ପାଣିରେ ଧୋଇ ହୋଇଯାଇଥିବା ସୂଚନା ମିଳିଛି। କଳିଙ୍ଗା ଘାଟିର ଅନ୍ଧାରିକୋଟ ଉପରମୁଣ୍ଡରେ ଗାର୍ଡୱାଲ୍ ନିର୍ମାଣ କାମ ଚାଲିଥିଲା । ତେବେ ପାହାଡ଼ ଉପରେ ଲଗାଣ ବର୍ଷା ହେବାରୁ ପ୍ରବଳ ବେଗରେ ପାଣି ତଳକୁ ଆସିଥିଲା। ଏହାର ପ୍ରଭାବରେ ନିର୍ମାଣଧୀନ ଗାର୍ଡୱାଲ୍ ଭୁଶୁଡ଼ିବା ସହ ଧୋଇ ହୋଇଯାଇଥିବା ଜଣାପଡ଼ିଛି । ଘଟଣା ପରେ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଗାର୍ଡୱାଲ୍ ନିର୍ମାଣ କାମର ସ୍ଥିତି ଏବଂ ବର୍ଷା ପରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଅଧିକାରୀମାନେ ଯାଞ୍ଚ କରୁଛନ୍ତି । ଲଗାଣ ବର୍ଷା ଯୋଗୁଁ କଳିଙ୍ଗା ଘାଟି ଅଞ୍ଚଳରେ ପାହାଡ଼ରୁ ମାଟି ଓ ପଥର ଖସିବାର ଆଶଙ୍କା ମଧ୍ୟ ରହିଛି । ତେଣୁ ଘାଟି ଦେଇ ଯାତାୟାତ କରୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି । ବର୍ଷା ଜାରି ରହିଥିବାରୁ ଅଞ୍ଚଳର ସ୍ଥିତି ଉପରେ ବିଭାଗୀୟ ଅଧିକାରୀମାନେ ନଜର ରଖିଛନ୍ତି । ଗାର୍ଡୱାଲ୍ ଭୁଶୁଡ଼ିବାର ପ୍ରକୃତ କାରଣ ଏବଂ ନିର୍ମାଣକାମରେ କୌଣସି ତ୍ରୁଟି ଥିଲା କି ନାହିଁ, ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ ।