Spread the love

ରୁଷ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁଣିଥରେ ବଡ଼ ଧରଣର ଡ୍ରୋନ୍ ଆକ୍ରମଣକୁ ନେଇ ଚର୍ଚ୍ଚା ବଢ଼ିଛି । ରୁଷୀୟ ଅଧିକାରୀଙ୍କ ଅନୁସାରେ, ରାତିରେ ୟୁକ୍ରେନ ପକ୍ଷରୁ ରୁଷର ବିଭିନ୍ନ ଅଞ୍ଚଳ ଆଡ଼କୁ ଏକ ହଜାରରୁ ଅଧିକ ଡ୍ରୋନ୍ ପଠାଯାଇଥିଲା । ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଦେଶର ବିଭିନ୍ନ ଅଞ୍ଚଳ ସହ କ୍ରିମିୟା ଏବଂ କୃଷ୍ଣ ସାଗର ଅଞ୍ଚଳରେ ୧,୦୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌କୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନଷ୍ଟ କରିଛି । ତେବେ ମସ୍କୋ ଦିଗକୁ ଆସୁଥିବା ଡ୍ରୋନ୍‌ ସଂଖ୍ୟା ମଧ୍ୟ ବହୁତ ଅଧିକ ଥିବା ରୁଷୀୟ ଅଧିକାରୀମାନେ କହିଛନ୍ତି ।

ମସ୍କୋର ମେୟର ସେରଗେଇ ସୋବୟାନିନ୍‌ଙ୍କ ଅନୁସାରେ, ପ୍ରାୟ ୪୫୦ ଡ୍ରୋନ୍‌କୁ ରାଜଧାନୀ ଆଡ଼କୁ ଆସୁଥିବା ସମୟରେ ଅଟକାଯାଇଥିଲା । ତଥାପି କିଛି ଡ୍ରୋନ୍‌ର ପ୍ରଭାବରେ ମସ୍କୋର ଏକ ତୈଳ ବିଶୋଧନାଗାର ଏବଂ ଏକ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଥିବା ଅଧିକାରୀମାନେ କହିଛନ୍ତି । ଏହି ଘଟଣା ରୁଷର ସଂସଦୀୟ ନିର୍ବାଚନର ଶେଷ ଦିନରେ ଘଟିଛି । ମସ୍କୋ ମେୟର ଏହାକୁ ନିର୍ବାଚନ ପ୍ରକ୍ରିୟାକୁ ବାଧା ଦେବାର ଏକ ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି । ତେବେ ୟୁକ୍ରେନ ପକ୍ଷରୁ ଏହି ଆକ୍ରମଣ ସମ୍ପର୍କରେ ତୁରନ୍ତ କୌଣସି ମତାମତ ଆସିନଥିବା ରଏଟର୍ସ ରିପୋର୍ଟ କରିଛି ।ଅନ୍ୟପଟେ ରୁଷ-ୟୁକ୍ରେନ ମଧ୍ୟରେ ଡ୍ରୋନ୍ ଆକ୍ରମଣ ଜାରି ରହିଥିବାରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପୁଣି ବଢ଼ୁଥିବା ଦେଖାଯାଉଛି ।

Leave a Reply

Your email address will not be published. Required fields are marked *