Spread the love

ଭୁବନେଶ୍ବର: ରାଜ୍ୟରେ ୧୩ ଦିନ ହେବ ଯୋଗାଣ ସେବା ଠପ୍ । ରାସନ ଚାଉଳ ପାଇଁ ହନ୍ତସନ୍ତ ହେଉଛନ୍ତି ୨୦ ଜିଲ୍ଲାର ଲୋକ । ଗତ ୭ ତାରିଖରୁ ସମୂହ ଛୁଟିରେ ରହି ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ଯୋଗାଣ ସହାୟକ ସଂଘ । ସ୍ଥାୟୀ ନିଯୁକ୍ତି ଦାବିରେ ୧୩ ଦିନରେ ପହଞ୍ଚିଲା ଅନିର୍ଦ୍ଦିଷ୍ଟକାଳର ଧାରଣା । ହଜାର ହଜାର ଯୋଗାଣ ସହାୟକ ଏହି ଆନ୍ଦୋଲନରେ ସାମିଲ ହୋଇ ପ୍ରତିବାଦ ଚଳାଇଛନ୍ତି । ଫଳରେ ୨୦ ଜିଲ୍ଲାର ୩୫ ଶହରୁ ଉର୍ଦ୍ଧ୍ୱ ପଞ୍ଚୟତରେ ଠପ୍ ହୋଇଛି ଯୋଗାଣ ବ୍ୟବସ୍ଥା । ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ଯୋଗାଣ ସହାୟକଙ୍କ ଦାବି ଉପରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ଜିଲ୍ଲାଗୁଡ଼ିକରେ ରାସନ ଚାଉଳ ବଣ୍ଟନ ପ୍ରକ୍ରିୟା ପ୍ରଭାବିତ ହୋଇଛି ।

ବର୍ତ୍ତମାନ ରାଜ୍ୟରେ ୩୫ଶହ ଯୋଗାଣ ସହାୟକ ଗତ ୧୪ବର୍ଷ ହେବ ସେବା ପ୍ରଦାନ କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି କିମ୍ବା ଉଚିତ ମଜୁରି ମିଳିନାହିଁ । ଏନେଇ ଗତ ଜୁଲାଇ ମାସରେ ରାଜ୍ୟ ଯୋଗାଣ ସହାୟକ ସଂଘ ଆନ୍ଦୋଳନ କରିଥିଲା । ରାଜ୍ୟ ସରକାର ଖୁବ୍ ଶୀଘ୍ର ଏହାର ସମାଧାନ କରିବେ ବୋଲି ଆଶ୍ବାସନା ଦେଇଥିଲେ । ହେଲେ ଦାବି ପୂରଣ ନହେବାରୁ ସେମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦାବି ହାସଲ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ମହାସଂଘ ।

Leave a Reply

Your email address will not be published. Required fields are marked *