Spread the love

ଭୁବନେଶ୍ୱର : ଓଡ଼ିଶାରେ ସଂଗଠନକୁ ଅଧିକ ସକ୍ରିୟ କରିବା ସହ ଯୁବପିଢ଼ିକୁ ନିଜ ସହ ଯୋଡ଼ିବା ପାଇଁ ବଡ଼ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ ।  ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସନ୍ତା ଅକ୍ଟୋବରରେ ଓଡ଼ିଶା ଆସିବାର ସମ୍ଭାବନା ରହିଛି। ଭୁବନେଶ୍ୱରରେ ହେବାକୁ ଥିବା ‘ଛାତ୍ରୋଁ କି ଗୁଞ୍ଜ୍’ ଯୁବ କାର୍ଯ୍ୟକ୍ରମରେ ସେ ଯୋଗଦେଇପାରନ୍ତି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ରାହୁଲଙ୍କ ଗସ୍ତ ପାଇଁ ପ୍ରସ୍ତାବ ପଠାଯାଇଛି ଏବଂ ସେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଦଳ ଆଶା କରୁଛି।

ତେବେ ଗସ୍ତର ଚୂଡ଼ାନ୍ତ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ଭୁବନେଶ୍ୱରରେ ପ୍ରସ୍ତାବିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦ ହଜାର ଯୁବକଯୁବତୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ। ବିଶେଷ କରି Gen-Zର ସମସ୍ୟା, ଆଶା-ଆକାଂକ୍ଷା ଏବଂ ଭବିଷ୍ୟତକୁ ନେଇ ଯୁବପିଢ଼ିର ଚିନ୍ତା ଏହି କାର୍ଯ୍ୟକ୍ରମର କେନ୍ଦ୍ରରେ ରହିବ। ଶିକ୍ଷା, ନିଯୁକ୍ତି, ଯୁବକଯୁବତୀଙ୍କ ପାଇଁ ସୁଯୋଗ ଏବଂ ଯୁବପିଢ଼ି ସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା କରିବା ଦଳର ଯୋଜନା ରହିଛି। ଅର୍ଥାତ୍ କେବଳ ଏକ ରାଜନୈତିକ ସଭା ନୁହେଁ, ଯୁବ ଭୋଟରଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ ଏହାର ଏକ ପ୍ରମୁଖ ଲକ୍ଷ୍ୟ ବୋଲି ଦେଖାଯାଉଛି।

ଆଗାମୀ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି କଂଗ୍ରେସ ରାଜ୍ୟବ୍ୟାପୀ ଲମ୍ବା କାର୍ଯ୍ୟକ୍ରମର ରୋଡମ୍ୟାପ୍ ପ୍ରସ୍ତୁତ କରିଛି। ଅକ୍ଟୋବର ୨ରେ ନବରଙ୍ଗପୁରରୁ ଏକ ପଦଯାତ୍ରା ଆରମ୍ଭ ହେବ। ଏଥିରେ ଦଳର ନେତା ଓ କର୍ମୀମାନେ ଯୋଗଦେବେ। କାର୍ଯ୍ୟକ୍ରମଗୁଡ଼ିକର ପରିଚାଳନା ଓ ତଦାରଖ ପାଇଁ କମିଟି ମଧ୍ୟ ଗଠନ କରାଯିବ। ନବରଙ୍ଗପୁରରୁ ପଦଯାତ୍ରା ଆରମ୍ଭ କରିବା ମଧ୍ୟ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଆଦିବାସୀ ଅଞ୍ଚଳରେ କଂଗ୍ରେସର ପୁରୁଣା ସାମାଜିକ ଓ ରାଜନୈତିକ ଆଧାରକୁ ପୁଣି ସକ୍ରିୟ କରିବା ଉପରେ ଦଳ ଜୋର ଦେଉଥିବା ଏଥିରୁ ସଙ୍କେତ ମିଳୁଛି।

ଭକ୍ତ ଚରଣ ଦାସଙ୍କ ସୂଚନା ଅନୁସାରେ, ଏହି ଅଭିଯାନ କେବଳ ଅକ୍ଟୋବରରେ ସୀମିତ ରହିବ ନାହିଁ। ୨୦୨୭ ଜାନୁଆରୀରୁ ଫେବ୍ରୁଆରୀ ମଧ୍ୟରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତର ଯୋଜନା ରହିଛି। ଏହାକୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସର ପର୍ଯ୍ୟାୟକ୍ରମେ ପ୍ରଚାର ବଢ଼ାଇବାର ରଣନୀତି ଭାବେ ଦେଖାଯାଇପାରେ। କଂଗ୍ରେସର ଏହି ରୋଡମ୍ୟାପ୍ ରେ ଦୁଇଟି ସ୍ପଷ୍ଟ ଟାର୍ଗେଟ ହେଉଛି ଯୁବ ଭୋଟର ଏବଂ ତୃଣମୂଳ ସଂଗଠନ।

ଭୁବନେଶ୍ୱରରେ ବଡ଼ ଯୁବ ସମାବେଶ ଜରିଆରେ ସହରାଞ୍ଚଳ ଓ Gen-Z ଭୋଟରଙ୍କ ନିକଟକୁ ଯିବାକୁ ଦଳ ଚାହୁଁଛି। ନବରଙ୍ଗପୁରରୁ ପଦଯାତ୍ରା ମାଧ୍ୟମରେ ଗ୍ରାମାଞ୍ଚଳ ଏବଂ ଆଦିବାସୀ ବେଲ୍ଟରେ ସଂଗଠନକୁ ଚଳଚଞ୍ଚଳ କରିବାର ପ୍ରୟାସ ଦେଖାଯାଉଛି। ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଭଳି ଜାତୀୟ ନେତାଙ୍କୁ ପର୍ଯ୍ୟାୟକ୍ରମେ ଓଡ଼ିଶାକୁ ଆଣି କର୍ମୀଙ୍କ ମନୋବଳ ବଢ଼ାଇବା ସହ ରାଜ୍ୟ ରାଜନୀତିରେ କଂଗ୍ରେସକୁ ଅଧିକ ଦୃଶ୍ୟମାନ କରିବା ଦଳର ଆଉ ଏକ ଉଦ୍ଦେଶ୍ୟ ହୋଇପାରେ। ତେବେ ବଡ଼ ସଭା ଓ ଜାତୀୟ ନେତାଙ୍କ ଗସ୍ତକୁ ବୁଥ୍ ସ୍ତରୀୟ ସଂଗଠନ ଏବଂ ଭୋଟର ସମର୍ଥନରେ କଂଗ୍ରେସ କେତେଦୂର ପରିଣତ କରିପାରୁଛି, ତାହା ଆଗାମୀ ପଞ୍ଚାୟତ ଲଢ଼େଇରେ ଦଳ ପାଇଁ ବଡ଼ ପରୀକ୍ଷା ହେବ।

Leave a Reply

Your email address will not be published. Required fields are marked *