ବାଲେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦ୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍) ପକ୍ଷରୁ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’ ଅଧୀନରେ ରୁଫ୍ଟପ୍ ସୋଲାର ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏହାର ବ୍ୟବହାରକୁ ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବାଲେଶ୍ୱରଠାରେ ‘ସୌର ରଥ’ ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି ।
ଆଜିର ଅନୁଷ୍ଠାନିକ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ (ଭା.ପ୍ର.ସେ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସୋଲାର ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଟିପିଏନ୍ଓଡ଼ିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ, ବାଲେଶ୍ୱର ବିଦ୍ୟୁତ୍ ମଣ୍ଡଳର ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ରୟ, ଟିପିଏନ୍ଓଡ଼ିଏଲ୍ର ବରିଷ୍ଠ ଅଧିକାରୀବୃନ୍ଦ ଏବଂ ଆଞ୍ଚଳିକ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଉପଭୋକ୍ତା ଓ ସାଧାରଣ ଜନତାଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ‘ସୌର ରଥ’ ଜିଲ୍ଲାର ଗ୍ରାମାଞ୍ଚଳ, ବ୍ୟବସାୟିକ କେନ୍ଦ୍ର ଓ ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନସମୂହ ପରିକ୍ରମା କରିବା ସହ ସରକାରୀ ସବ୍ସିଡି, ଯୋଗ୍ୟତା, ଆବେଦନ ପ୍ରକ୍ରିୟା ଏବଂ ବୈଷୟିକ ସମାଧାନ ସମ୍ପର୍କରେ ପ୍ରଚାରପ୍ରସାର କରିବ। ଏଥିସହ ଆବାସିକ ଉପଭୋକ୍ତାଙ୍କ ପାଇଁ ସୌର ଶକ୍ତି ବ୍ୟବହାରକୁ ସହଜ କରିବା ପାଇଁ ‘୧ କିଲୋୱାଟ୍ ୟୁଟିଲିଟି-ଲେଡ୍ ଏଗ୍ରିଗେସନ୍ (ୟୁଏଲଏ) ମଡେଲ୍’ ବିଷୟରେ ମଧ୍ୟ ସଚେତନ କରାଯିବ।