ନୂଆଦିଲ୍ଲୀ: ରନୱେରୁ ବାହାରିଗଲା କାର୍ଗୋ ବିମାନ । ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମାଜନ ପ୍ରାଇମ ଏୟାରର କାର୍ଗୋ ବିମାନ ରନୱେରୁ ବାହାରକୁ ଚାଲିଗଲା । ଫଳରେ ୫ ଜଣଙ୍କ ମୃତ୍ୟୁ ଏବଂ ୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ 21 Air Flight 7598 ନାମକ ୩୨ ବର୍ଷ ପୁରୁଣା ବୋଇଂ ମାଲବାହୀ ବିମାନ ସାମିଲ ଥିଲା । ବିମାନଟି ଲୁଇସ୍ ମୁନୋଜ୍ ମାରିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ରନୱେ ୩୦ରେ ଅବତରଣ କରିବା ସମୟରେ ବିମାନଟି ଅଟକି ପାରିନଥିଲା । ବିମାନବନ୍ଦରର ସୀମା ପାର ହୋଇ ନିକଟସ୍ଥ ଏକ ରାସ୍ତା ଏବଂ ପାର୍କିଂ ଭିତରକୁ ପଶିଯାଇଥିଲା । ସେଠାରେ ଅନେକ ଗାଡ଼ିକୁ ଧକ୍କା ଦେବା ସହ ଏଥିରେ ନିଆଁ ଲାଗିଯାଇଥିଲା ।
ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ମୋଟ ୧୦ ଜଣ ପ୍ରଭାବିତ ହୋଇଛନ୍ତି, ଯେଉଁଥିରୁ ୫ ଜଣ ପ୍ରାଣ ହରାଇଛନ୍ତି । ଆହତମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ସେମାନଙ୍କୁ ସ୍ଥାନୀୟ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ମିଆମି-ଡେଡ୍ ଫାୟାର ରେସକ୍ୟୁର ପ୍ରାୟ ୨୦୦ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଫସି ରହିଥିବା ପାଇଲଟ୍ ଓ ଅନ୍ୟମାନଙ୍କୁ ବାହାର କରାଯାଇଥିଲା । ଦୁର୍ଘଟଣା ପରେ ମିଆମି ବିମାନବନ୍ଦରର ସମସ୍ତ ରନୱେକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଥିଲା ।