ଭୁବନେଶ୍ୱର : ଜଳ ସୁରକ୍ଷାକୁ ଓଡ଼ିଶାର ପ୍ରାଥମିକତା । ୨ ବର୍ଷରେ ୫୪ ହଜାର କୋଟିର ଜଳ ଭିତ୍ତିଭୂମିକୁ ମଞ୍ଜୁରୀ । ଜଳ ସୁରକ୍ଷା ଓ ଜଳସେଚନକୁ ରାଜ୍ୟ ସରକାରଙ୍କ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ଗତ ୨ ବର୍ଷରେ ରାଜ୍ୟରେ ୫୪ ହଜାର କୋଟି ଟଙ୍କାର ଜଳ ଭିତ୍ତିଭୂମି କାର୍ଯ୍ୟକୁ ମଞ୍ଜୁରୀ ଦିଆଯାଇଛି । ଏହି ସମୟ ମଧ୍ୟରେ ୩ ଲକ୍ଷ ୨୦ ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜାତୀୟ ବିଭାଗୀୟ ଜଳ ସମ୍ମିଳନୀରେ ଓଡ଼ିଶାର ଜଳ ପରିଚାଳନା ଓ ଜଳସେଚନ କ୍ଷେତ୍ରର ଅଗ୍ରଗତି ସମ୍ପର୍କରେ ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୃଷି ଓଡ଼ିଶାର ଅର୍ଥନୀତିର ଏକ ପ୍ରମୁଖ ଆଧାର ହୋଇଥିବାରୁ ଚାଷୀଙ୍କ ପାଇଁ ଜଳର ଉପଲବ୍ଧତା ବଢ଼ାଇବା ଉପରେ ସରକାର ଫୋକସ୍ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଜଳସେଚନ ଭିତ୍ତିଭୂମିର ସମ୍ପ୍ରସାରଣ ସହ ଜଳ ସଂରକ୍ଷଣ, ଭୂତଳ ଜଳର ପୁନର୍ଭରଣ ଏବଂ ଜଳ ପରିଚାଳନାରେ ନୂଆ ପ୍ରଯୁକ୍ତିର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଗତ ୨ ବର୍ଷରେ ରାଜ୍ୟରେ ୭୭୦ଟି ନୂଆ ଚେକ୍ ଡ୍ୟାମ୍ ଏବଂ ୯ଟି ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ବା ISS ପ୍ରକଳ୍ପର କାମ ଶେଷ ହୋଇଛି । ୧ ହଜାର ୩୧୨ଟି ପୁରୁଣା ଚେକ୍ ଡ୍ୟାମ୍ ର ପୁନରୁଦ୍ଧାର ମଧ୍ୟ କରାଯାଇଛି । ଏହାସହ ଗୋଟିଏ ଡ୍ୟାମ୍, ଗୋଟିଏ ବ୍ୟାରେଜ୍, ୬ଟି ମେଗା ଲିଫ୍ଟ ଏବଂ ୩୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଗାଁ ଓ ଚାଷୀଙ୍କ ପାଖରେ ଜଳସେଚନ ସୁବିଧା ପହଞ୍ଚାଇବା ପାଇଁ ୩ ହଜାର ୨୨୪ଟି କମ୍ୟୁନିଟି ଲିଫ୍ଟ ଇରିଗେସନ୍, ୨୦ ହଜାର ୨୨୮ଟି ଡିପ୍ ବୋରୱେଲ୍ ଏବଂ ୮ ହଜାର ୯୧୭ଟି ସୋଲାର ଡିପ୍ ବୋରୱେଲ୍ ନିର୍ମାଣ କରାଯାଇଛି ।
ଏହାସହ ଜଳ ପରିଚାଳନାରେ ଚାଷୀଙ୍କ ସହଭାଗିତା ବଢ଼ାଇବାକୁ ୪୦ ହଜାରରୁ ଅଧିକ ପାଣି ପଞ୍ଚାୟତକୁ ସଶକ୍ତ କରାଯାଉଛି । ସମ୍ମିଳନୀ ପରେ ‘X’ରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ଜଳ ସମସ୍ୟାର ସମାଧାନ ପାଇଁ ସାମୂହିକ ପ୍ରୟାସ, ନୂତନ ପ୍ରଯୁକ୍ତି ଓ ଜନସହଭାଗିତା ଜରୁରୀ । ପ୍ରଧାନମନ୍ତ୍ରୀଙ୍କ ‘ଜନ ଭାଗିଦାରୀ’ ଆହ୍ୱାନରେ ଅନୁପ୍ରାଣିତ ହୋଇ ଏକ ଜଳ-ସୁରକ୍ଷିତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।