ନୂଆଦିଲ୍ଲୀ : ଚୀନର ଦକ୍ଷିଣ ପଶ୍ଚିମ ସିଚୁଆନ୍ ପ୍ରାନ୍ତରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ୫.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିପୋର୍ଟ ଅନୁସାରେ, ନାଇଜିଆଙ୍ଗର ଲଙ୍ଗଚାଙ୍ଗ ସହର ନିକଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଚୀନ୍ ଭୂମିକମ୍ପ ନେଟୱର୍କ କେନ୍ଦ୍ର ଅନୁସାରେ, ବେଜିଂ ସମୟ ଦିନ ୧ଟା ୧୩ ମିନିଟରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୩ କିଲୋମିଟର ଗଭୀରରେ ଥିବା ଜଣାପଡ଼ିଛି । ତେଣୁ ନିକଟବର୍ତ୍ତୀ ଅଞ୍ଚଳରେ ଏହାର ଝଟକା ଅନୁଭୂତ ହୋଇଥାଇପାରେ ।
ଲଙ୍ଗଚାଙ୍ଗ ସହର ସିଚୁଆନ୍ ବେସିନରେ ଅବସ୍ଥିତ । ଏହି ଅଞ୍ଚଳ ସିଚୁଆନ୍ ଓ ଏହାର ଆଖପାଖ ଅଞ୍ଚଳକୁ ଯୋଡ଼ୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ପରିବହନ କେନ୍ଦ୍ର ଭାବେ ମଧ୍ୟ ଜଣାଶୁଣା । ତେବେ ଭୂମିକମ୍ପରେ କେତେ କ୍ଷୟକ୍ଷତି ହୋଇଛି, କେହି ମୃତାହତ ହୋଇଛନ୍ତି କି ନାହିଁ ସେନେଇ ଚୀନ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି ସୂଚନା ମିଳିନାହିଁ । ଭୂକମ୍ପ ଝଟକା ଫଳରେ ହିମାଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଚିନ୍ତା ବଢିଯାଇଛି ।
ସେହିପରି ବିଳମ୍ବିତ ରାତିରେ ୩.୨ ତୀବ୍ରତାର ଭୂକମ୍ପ ନେପାଳରେ ଅନୁଭୂତ ହୋଇଛି । ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ । ସିଚୁଆନରେ ଆସିଥିବା ଭୂକମ୍ପ ଯୋଗୁଁ ସମଗ୍ର ଭୂଗର୍ଭୀୟ ଗତିବିଧିକୁ ନେଇ ସତର୍କତା ବଢାଇ ଦିଆଯାଇଛି ।
ସୂଚନାଯୋଗ୍ୟ, ନେପାଳରେ ୩ ଦିନ ପୂର୍ବରୁ ଭୋଟେକୋଶୀ ନଦୀରେ ପାଖରେ ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ସବୁକିଛି ଛାରଖାର ହୋଇଛି । ନେପାଳରେ ବୁଧବାର ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୪୯୦କୁ ବୃଦ୍ଧି ପାଇଛି । ୧୪୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ନିଖୋଜମାନଙ୍କ ମଧ୍ୟରେ ୩୧ଟି ଦେଶର ୬୬୭ ରୁ ଅଧିକ ପର୍ଯ୍ୟଟକ ଓ ବିଦେଶୀ ନାଗରିକ ଅଛନ୍ତି । ଏଥିରେ ୨୯୦ ଜଣ ଭାରତୀୟ, ୬୫ ଜଣ ଆମେରିକୀୟ ଏବଂ ୩୩ ଜଣ ବ୍ରିଟେନର ନାଗରିକ ସାମିଲ ଅଛନ୍ତି । ପାହାଡ଼ରୁ ପ୍ରଚୁର କାଦୁଅ, ପଥର ଓ ବରଫ ନଦୀରେ ମିଶି ଏହି ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି କରିଛି । ରସୁୱା ଜିଲ୍ଲାର ଭୋଟେକୋଶୀ ନଦୀ କୂଳରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି । ନିଖୋଜ ବିଦେଶୀଙ୍କ ମଧ୍ୟରେ ଭାରତୀୟଙ୍କ ସହ ଅଷ୍ଟ୍ରେଲିଆ, ବ୍ରିଟେନ୍, ମାଲେସିଆ, ନେଦରଲାଣ୍ଡ୍ସ, ପର୍ତ୍ତୁଗାଲ୍, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ ଓ ଆମେରିକାର ନାଗରିକ ଅଛନ୍ତି ।