ନବରଙ୍ଗପୁର : ସ୍କୁଲ ସମୟରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ ପରେ ଦୁଷ୍କର୍ମ ଓ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ଅଭିଯୋଗର ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି ।
ଅଭିଯୋଗ ଅନୁସାରେ, ଗତ ଶୁକ୍ରବାର ୨୧ ତାରିଖରେ ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଏକ ହାଇସ୍କୁଲରେ ଘଟିଥିଲା ଏହି ଘଟଣା । ମଧ୍ୟାହ୍ନ ଭୋଜନ ପରେ ଷଷ୍ଠ ପିରିୟଡ୍ ରେ ପାଠପଢ଼ା ଚାଲିଥିବା ବେଳେ ନବମ ଶ୍ରେଣୀ ଛାତ୍ରୀ ପରିସ୍ରା କରିବାକୁ ସ୍କୁଲ ପରିସର ବାହାରକୁ ଯାଇଥିବା ଅଭିଯୋଗ ହୋଇଛି ।
ସେହି ସମୟରେ ଜଣେ ଦୁର୍ବୃତ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏପରିକି ବେକରେ ଛୁରୀ ଲଗାଇ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ପୁଣି ଦୁଷ୍କର୍ମ କରିବା ସହ ହତ୍ୟା କରିଦେବାକୁ ଧମକ ଦିଆଯାଇଥିବା ପୀଡ଼ିତାଙ୍କ ମାଆ ଅଭିଯୋଗ କହିଛନ୍ତି । ଭୟଭୀତ ଅବସ୍ଥାରେ ଛାତ୍ରୀ ଜଣକ ସ୍କୁଲକୁ ଦୌଡ଼ି ଆସି ଶିକ୍ଷକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ଡ୍ରେସ୍ ବଦଳାଇବା ସହ ଘଟଣାକୁ ନେଇ ପରିବାରକୁ ସୂଚନା ଦେଇଥିଲେ । ଏହାପରେ ଥାନାରେ ଅଭିଯୋଗ ହୋଇଥିଲା ।
ତେବେ ପୋଲିସ ତଦନ୍ତରେ ନିଷ୍କ୍ରିୟତା ଅଭିଯୋଗ କରିଛି ପୀଡ଼ିତାଙ୍କ ପରିବାର । ମାମଲାକୁ ଚାପି ଦେବା ଏବଂ ଅଭିଯୁକ୍ତକୁ ଖସାଇ ଦେବାକୁ ଉଦ୍ୟମ ହୋଇଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି ପରିବାର । ତୁରନ୍ତ ଅଭିଯୁକ୍ତକୁ ଗିରଫ କରି ନ୍ୟାୟ ଦେବାକୁ ଦାବି କରିଛନ୍ତି ପରିବାର । ତେବେ, ଛାତ୍ରୀଙ୍କ ଅଭିଯୋଗ ପରେ ସ୍କୁଲ କର୍ତ୍ତୃପକ୍ଷ ଓ ସ୍କୁଲ ପରିଚାଳନା କମିଟି ସ୍ଥାନୀୟ ପୋଲିସ ଫାଣ୍ଡିରେ ଅଭିଯୋଗ କରି ଏହାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।
ଅନ୍ୟପକ୍ଷରେ, ଏହି ଘଟଣାରେ ସ୍କୁଲ ଓ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ ମିଳିବା ପରେ ଦୁଷ୍କର୍ମ ଓ ପୋକ୍ସୋ ଆକ୍ଟରେ ୨୦୨/୨୬ ନମ୍ବରରେ ମାମଲା ରୁଜୁ ହୋଇଥିବା କହିଛି ପୋଲିସ । ସିସିଟିଭି ଫୁଟେଜ୍, ସିଡିଆର୍ ଓ ମୋବାଇଲ୍ ଲୋକେସନ୍ ଯାଞ୍ଚ କରାଯାଉଛି । ତଦନ୍ତ ସମୟରେ ଯଦି କେହି ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ଆଇନ୍ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଏସ୍ ଡିପିଓ ସୂଚନା ଦେଇଛନ୍ତି ।