Spread the love

– ନିୟମ ମାନୁଥିବା ଗାଡ଼ି ଚାଳକଙ୍କୁ ସମ୍ମାନିତ କଲେ ପରିବହନ ଆୟୁକ୍ତ

ଭୁବନେଶ୍ୱର : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାକ୍ଷୀର ଭାବନା ‘ସୁରକ୍ଷା ପ୍ରତିଶ୍ରୁତି’କୁ ସଡ଼କ ସୁରକ୍ଷା ସହ ଯୋଡ଼ି ପରିବହନ ବିଭାଗ ପକ୍ଷରୁ ଆଜି ଏକ ନିଆରା ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ ହୋଇଛି।

ରାକ୍ଷୀ କେବଳ ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହର ପ୍ରତୀକ ନୁହେଁ, ଏହା ପରସ୍ପରର ସୁରକ୍ଷା ପାଇଁ ଏକ ପବିତ୍ର ପ୍ରତିଶ୍ରୁତି। ସେହିଭଳି, ରାସ୍ତାରେ ଯାତ୍ରା କରିବା ସମୟରେ ସଡ଼କ ସୁରକ୍ଷା ନିୟମ ପାଳନ କରିବା ହେଉଛି ନିଜ ଜୀବନ ସହ ପରିବାର ଓ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷା ପ୍ରତି ଏକ ଦାୟିତ୍ୱପୂର୍ଣ୍ଣ ପ୍ରତିଶ୍ରୁତି।

ଏହି ବାର୍ତ୍ତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରସ୍ଥିତ ଏସପ୍ଲାନେଡ୍ ମଲ୍‌ରେ ଏକ ସ୍ୱତନ୍ତ୍ର ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଟ୍ରାଫିକ୍ ନିୟମ ପାଳନ କରି ଦାୟିତ୍ୱବାନ ଭାବେ ଗାଡ଼ି ଚଳାଉଥିବା ଚାଳକମାନଙ୍କୁ ପରିବହନ ଆୟୁକ୍ତ ଅମିତାଭ ଠାକୁର ସମ୍ମାନିତ କରିବା ସହ ପ୍ରଶଂସାପତ୍ର ଓ ଉପହାର ପ୍ରଦାନ କରିଥିଲେ।

ବିଶେଷ ଭାବେ, ଚାଳକ ଓ ସହ-ଆରୋହୀ ଉଭୟ ହେଲମେଟ୍ ପିନ୍ଧିଥିବା ଦୁଇଚକିଆ ଯାନ ଚାଳକ, ସିଟ୍‌ବେଲ୍ଟ ବ୍ୟବହାର କରୁଥିବା କାର୍ ଚାଳକ ଏବଂ ସମସ୍ତ ଆବଶ୍ୟକ ସୁରକ୍ଷା ନିୟମ ଓ ଟ୍ରାଫିକ୍ ନିୟମ ପାଳନ କରି ଗାଡ଼ି ଚଳାଉଥିବା ଚାଳକମାନଙ୍କୁ ଏହି ଅଭିଯାନରେ ଚିହ୍ନଟ କରାଯାଇ ପ୍ରୋତ୍ସାହିତ କରାଯାଇଥିଲା।

ସଡ଼କ ସୁରକ୍ଷା କ୍ଷେତ୍ରରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପରିବହନ ବିଭାଗ ନିୟମିତ ଭାବେ ଚାଲାଣ ଜାରି କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତେବେ, ନିୟମ ମାନୁଥିବା ନାଗରିକଙ୍କୁ ସମ୍ମାନ ଓ ପ୍ରୋତ୍ସାହନ ଦେବା ଏହି ଅଭିଯାନର ଏକ ପ୍ରମୁଖ ବିଶେଷତ୍ୱ। ନିୟମ ପାଳନକାରୀଙ୍କୁ ସାର୍ବଜନୀନ ଭାବେ ସମ୍ମାନିତ କରିବା ଦ୍ୱାରା ଅନ୍ୟ ଚାଳକମାନେ ମଧ୍ୟ ଟ୍ରାଫିକ୍ ନିୟମ ପାଳନ ପାଇଁ ପ୍ରେରିତ ହେବେ ଏବଂ ଏହା ରାଜ୍ୟରେ ସଡ଼କ ସୁରକ୍ଷାର ବାତାବରଣକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ଏହି ଅବସରରେ ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦ ଏବଂ ଅମିୟବାଳା ପରିଡ଼ା ଅତିଥି ଭାବେ ଯୋଗଦେଇଥିଲେ। ପ୍ରଜାପିତା ବ୍ରହ୍ମାକୁମାରୀ ସଂସ୍ଥାର ସଦସ୍ୟମାନେ ମଧ୍ୟ ଏହି ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ଯୋଗଦେଇ ନିଜର ସହଯୋଗ ଓ ସମର୍ଥନ ଜଣାଇଥିଲେ।

ଏହି ଅବସରରେ ପରିବହନ ଆୟୁକ୍ତଙ୍କ ସମେତ ଅତିରିକ୍ତ ପରିବହନ ଆୟୁକ୍ତ ଦୀପ୍ତିରଞ୍ଜନ ପାତ୍ର, ସମରେନ୍ଦ୍ର ପଟ୍ଟନାୟକ, ଯୁଗ୍ମ ପରିବହନ ଆୟୁକ୍ତ ବିକାଶ ଚୌଧୁରୀ, ରାମନିବାସ ସିର୍କା, ବରିଷ୍ଠ ପୋଲିସ ଅଧିକାରୀ ଉମାକାନ୍ତ ପ୍ରଧାନ, ଭୁବନେଶ୍ୱର-୧ ଆରଟିଓ ମାନସ ମିଶ୍ର ଏବଂ ଭୁବନେଶ୍ୱର-୨ ଆରଟିଓ ପ୍ରଣୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବିଭାଗୀୟ ଅଧିକାରୀମାନେ ଜନସାଧାରଣଙ୍କୁ ହେଲମେଟ୍ ପିନ୍ଧିବା, ସିଟ୍‌ବେଲ୍ଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ନ ଚଳାଇବା, ଟ୍ରାଫିକ୍ ନିୟମ ପାଳନ କରିବା ଏବଂ ଦାୟିତ୍ୱବାନ ସଡ଼କ ବ୍ୟବହାରକାରୀ ହେବା ପାଇଁ ଆହ୍ୱାନ ଦେଇଥିଲେ।

Leave a Reply

Your email address will not be published. Required fields are marked *